ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ବଜେଟ ଅଧିବେଶନରେ ଭାଗ ନେବାକୁ କରିଥିଲେ ଆବେଦନ

81

କନକ ବ୍ୟୁରୋ : ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ପୁଣି ଝଟକା । ମହୁଆଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ସଂସଦ କାର୍ଯ୍ୟରେ ଭାଗ ନେବାକୁ ଆବେଦନ କରିଥିଲେ ମହୁଆ, ଯାହାକୁ ଖାରଜ କରିଛନ୍ତି କୋର୍ଟ । ଜଷ୍ଟିସ ସଂଜୀବ ଖନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣୀ କରିଥିଲେ । କ୍ୱ୍ୟାସ ଫର କ୍ୱେରି ମାମଲାରେ ମହୁଆଙ୍କୁ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ସଂସଦରୁ ବହିଷ୍କାର କରାଯାଇଛି । ଶୁଣାଣୀ କରି ସୁପ୍ରିମକୋର୍ଟ ଲୋକସଭାର ମୁଖ୍ୟ ଶାସନ ସଚିବଙ୍କୁ ତଲବ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୧ରେ ହେବ ପରବର୍ତୀ ଶୁଣାଣୀ । ବହିଷ୍କାରକୁ ବିରୋଧ କରି ପୂର୍ବରୁ ମଧ୍ୟ ମହୁଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନରେ ମହୁଆ କହିଥିଲେ ଏଥିକ୍ସ କମିଟିଙ୍କ ରିପୋର୍ଟ ନୀତିଗତଭାବେ ପ୍ରସ୍ତୁତ ହୋଇନି । ଏକତରଫା ନିଷ୍ପତିକ୍ରମେ ତାଙ୍କୁ ସଂସଦରୁ ବହିଷ୍କାର କରାଯାଇଛି । ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ପୁର୍ନବିଚାର କରାଯାଉ ।

ସେପଟେ ନୂଆ ବିବାଦରେ ପଡିଛନ୍ତି ମହୁଆ ମୋଇତ୍ର । କୋଲକାତା ପୋଲିସ ସହାୟତାରେ ଗୁଇନ୍ଦାଗିରି କରୁଥିବା ନେଇ ମହୁଆଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ବନ୍ଧୁ ଅନନ୍ତ ଦେହାଦ୍ରାଇ । ଏପରିକି ପରିବାର ଲୋକଙ୍କ ସହାୟତାରେ ମହୁଆ ତାଙ୍କ ଫୋନକୁ ଟ୍ରାପ କରୁଥିବା କହିଛନ୍ତି ଅନନ୍ତ । ଏନେଇ ଅନନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସିବିଆଇ ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ପୂର୍ବରୁ ଅନନ୍ତଙ୍କ ଅଭିଯୋଗ କ୍ରମେ ହିଁ ମହୁଆଙ୍କୁ ସାଂସଦ ପଦ ହରାଇବାକୁ ପଡିଛି । ଲାଂଚ ନେଇ ମହୁଆ ସଂସଦରେ ପ୍ରଶ୍ନ ପଚାରିଥିବା ନେଇ ପ୍ରଥମେ ଅଭିଯୋଗ ଆଣିଥିଲେ ଅନନ୍ତ ।