ଇଡିକୁ ନାକେଦମ୍ କଲେଣି ୨ ମୁଖ୍ୟମନ୍ତ୍ରୀ । ସମନ୍ ସତ୍ୱେ ହାଜର ହେଉ ନାହାଁନ୍ତି ସୋରେନ୍, କେଜ୍ରିୱାଲ, ଇଡିକୁ ଚିଠି ଲେଖି ଜବାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

299

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ଫସିଥିବା ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏବେ ଚିନ୍ତାରେ ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବିରୋଧରେ ଦୁର୍ନୀତି ଓ ଘୋଟାଲାର ଅଭିଯୋଗ ହୋଇଛି । ଏହାକୁ ନେଇ ବାରମ୍ବାର ବାରମ୍ବର ସମନ୍ କରିବା ସତ୍ୱେ ଇଡିରେ ହାଜର ହେଉ ନାହାଁନ୍ତି ଦୁଇ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲଙ୍କୁ ୩ଥର ସମନ୍ ହୋଇଥିବାବେଳେ ହେମନ୍ତ ସୋରେନଙ୍କୁ ୫ଥର ସମନ୍ କରି ସାରିଲାଣି ପ୍ରବର୍ତନ ନିର୍ଦ୍ଦେଶାଳୟ । ହେଲେ ବାରମ୍ବାରର ଇଡିକୁ ଭୂଆଁ ବୁଲାଇ ଚାଲିଛନ୍ତି ଉଭୟ ଦିଲ୍ଲୀ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ଏହାପରେ ଦୁଇ ଜଣଙ୍କ ଗିରଫଦାରିର ଆଶଙ୍କା ବଢିବାରେ ଲାଗିଛି ।

ଇଡିକୁ ଭୂଆଁ ବୁଲାଉଛନ୍ତି ଦିଲ୍ଲୀ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ଦୁଇ ଜଣଙ୍କ ବିରୋଧରେ ରହିଛି ଦୁର୍ନୀତିର ଅଭିଯୋଗ । ଜମି ଦୁର୍ନୀତି ମାମଲାରେ ୧୪ ଅଗଷ୍ଟ,୨୦୨୩ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ସମନ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ହେମନ୍ତ ସୋରେନଙ୍କୁ କୁହାଯାଇଥିଲା । ମାତ୍ର ଇଡିରେ ହାଜର ହେବାକୁ ରୋକ୍ଠୋକ ମନା କରି ଦେଇଥିଲେ ହେମନ୍ତ ସୋରେନ୍ । ଏହାପରେ ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଏବଂ ଅକ୍ଟୋବର ୪ରେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ହାଜର ହେବାକୁ ହୋଇଥିଲା ସମନ୍ । ହେଲେ ସେ ହାଜର ହୋଇ ନାହାଁନ୍ତି । ସେହପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ମଧ୍ୟ ଇଡି ସମନକୁ ଖାତିର କରୁ ନାହାଁନ୍ତି । ତାଙ୍କୁ ଇଡି ତିନି ତିନି ଥର ସମନ୍ ପଠାଇଥିବାବେଳେ, ହାଜର ହେବାକୁ ସେ ମନା କରି ଦେଉଛନ୍ତି ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁଭଳି ଭାବେ ଇଡି ସମନ୍କୁ ବେଖାତିର କରି ଚାଲିଛନ୍ତି, ଏହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । କୌଣସି ବି ସମୟରେ ଏମାନଙ୍କୁ ଗିରଫ କରାଯାଇପାରେ ବୋଲି ଆଲୋଚନା କରାଯାଉଛି । ସେପଟେ ଲୋକସଭା ନିର୍ବାଚନ ପୂର୍ବରୁ ଏହା କେନ୍ଦ୍ର ସରକାରରଙ୍କ ସଡଯନ୍ତ୍ର ବୋଲି ବିରୋଧୀ ପ୍ରଶ୍ନ ଉଠାଉଛନ୍ତି । ଏହାରି ଭିତରେ ଝାଡଖଣ୍ଡ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆଗକୁ କଣ ହେବ ତାହା ସମୟ କହିବ ।