ପୁରୀ ଗୋପ ବ୍ଳକରୁ ବାହାରିବ ପେଟ୍ରୋଲ! ଆଉ ଏକ ପାଦ ଆଗେଇଲା ଅଏଲ ଇଣ୍ଡିଆ। 

379

କନକ ବ୍ୟୁରୋ: ଦୁଇ ବର୍ଷ ତଳେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ସେସ୍ମିକ୍ ସର୍ଭେ କରିଥିଲା ଅଏଲ ଇଣ୍ଡିଆ । ଏବେ ଆଉ ପାଦେ ଆଗେଇଛି ଏହି ପ୍ରୋଜେକ୍ଟ । ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଆରମ୍ଭ ହୋଇଛି ଜମି ଲିଜ୍ ନେବା ପ୍ରକ୍ରିୟା ।ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ସେସ୍ମିକ୍ ସର୍ବେକ୍ଷଣ ହୋଇଥିଲା । ଓଡ଼ିଶାର ୫ଟି ବ୍ଳକର ୩ ହଜାର ବର୍ଗ କିଲୋମିଟର ସର୍ଭେ ପରେ ଗୋପ ବ୍ଳକ ଅଞ୍ଚଳର ଦୁଇଟି ସ୍ଥାନରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି । ଏକ୍ସପ୍ଲୋରେଟୋରୀ ଡ୍ରିଲିଂ ବା ଅନ୍ୱେଷଣ ଡ୍ରିଲିଂ ପାଇଁ ଜମି ଚିହ୍ନଟ ହୋଇଛି ।

ଅଧିକ ଅନ୍ୱେଷଣ ପାଇଁ ଆରମ୍ଭ ହେବ ଡ୍ରିଲିଂ । ଏଥିପାଇଁ ଗୋପ ପଞ୍ଚାୟତର କୁସୁପୁର ମୌଜା ଏବଂ ମହଲପଡ଼ା ପଞ୍ଚାୟତ ଚିତୋରା ମୌଜାର ୮ ଏକର ଲେଖାଏଁ ଜମି ଚିହ୍ନଟ ହେବା ସହ ଆରମ୍ଭ ହୋଇଛି ଜମି ଲିଜ୍ ନେବା ପ୍ରକ୍ରିୟା । କୁସୁପୁରରେ ୩୭ ଜଣ ଚାଷୀଙ୍କୁ ଦିଆଯାଇଛି ୧୦ କୋଟି ଟଙ୍କା । ଚାଷୀଙ୍କ ସହ ୩ ବର୍ଷ ପାଇଁ ଲିଜ୍ ଏଗ୍ରିମେଣ୍ଟ କରାଯାଇଛି ।, ତେବେ ତେଲ ଓ ପ୍ରାକୃତିକ ଗ୍ୟାସ ପାଇଁ ଡ୍ରିଲିଂ ହେବା ସ୍ପଷ୍ଟ ହେବା ପରେ ଗୋପ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ଯଦି ଏହି ପ୍ରୋଜେକ୍ଟ ସଫଳ ହୁଏ, ତେବେ ଏହା ଓଡ଼ିଶା ପାଇଁ ଗେମ୍ ଚେଞ୍ଜର ହେବ ବୋଲି କୁହାଯାଉଛି । ରାଜ୍ୟ ଅର୍ଥନୈତିକ ବିକାଶ ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ସେସ୍ମିକ୍ ସର୍ଭେ ପାଇଁ ୨୨୦ କୋଟି ଟଙ୍କା ଏବଂ ଅନ୍ୱେଷଣ ଡ୍ରିଲିଂ ପାଇଁ ୧୨୪୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।