ବିଧାନସଭାରେ ଚିଟଫଣ୍ଡ ତାତି, ହଙ୍ଗାମା କଲେ ବିରୋଧୀ ବିଜେପି ସଦସ୍ୟ। ପ୍ରେସମିଟ କରି ସ୍ପଷ୍ଟୀକରଣ ରଖିଲେ ପ୍ରଭାତ ବିଶ୍ୱାଳ।

95

କନକ ବ୍ୟୁରୋ: ବିଧାନସଭାରେ ଚିଟଫଣ୍ଡ ତାତି । ବିଧାନସଭା ପ୍ରଶ୍ନକାଳରେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତିା । କଂଗ୍ରେସ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ ବିଜେପି ଚିଟପଣ୍ଡ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ । ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ‘ଚିଟଫଣ୍ଡରେ କୋଟି କୋଟି ଟଙ୍କା ଖାଇଲା କିଏ?: କାହିଁକି ଆଖି ବନ୍ଦ କରି ଚୁପ ବସିଛନ୍ତି ସରକାର’ ଶୀର୍ଷକ ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳ ଓ ଶୂନ୍ୟକାଳ ହଙ୍ଗାମା କରିଥିଲେ ବିଜେପି ସଦସ୍ୟ । ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିପାରିନଥିଲା । ବିଜେପି ବିଧାୟକ ମୋହନମାଝି କହିଛନ୍ତି, ଚିଟଫଣ୍ଡ ଆଲୋଚନା କରିବାକୁ ସରକାର ଡରୁଛନ୍ତି ।

ସେପଟେ ଚିଟଫଣ୍ଡ ପ୍ରସଙ୍ଗରେ ବିଜେପିର ମୁଲତବୀ ପ୍ରସ୍ତାବ କାହିଁକି ଗ୍ରହଣ କରାଗଲାନି ସେ ନେଇ ବାଚସ୍ପତି ଗୃହରେ ସ୍ପଷ୍ଟୀକରଣ ରଖିଥିଲେ । ବିକ୍ରମ କେଶରୀ ଆରୁଖ କହିଥିଲେ, ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରାଧୀନ ରହିଛି । କମିଶନ ତଦନ୍ତ କରୁଛନ୍ତି । ୨୦୧୪ରେ ତତକାଳୀନ ବାଚସ୍ପତି ଆଡଭୋକେଟ ଜେନେରାଲଙ୍କ ପରାମର୍ଶ ନେଇ ରୁଲିଂ ଦେଇ କହିଥିଲେ,ଚିଟଫଣ୍ଡ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇପାରିବନାହିଁ । ଏହି ପ୍ରସଙ୍ଗ ବର୍ତମାନର ପ୍ରସଙ୍ଗ ନୁହେଁ । ତେଣୁ ଏହା ଗୃହରେ ଆଲୋଚନା ହୋଇପାରିବ ନାହିଁ । ସେପଟେ ବିଜେଡି କହିଛି, ସରକାର ଚିଟପଣ୍ଡ ପ୍ରସଙ୍ଗକୁ ଡରୁନାହାନ୍ତି, ବିଧାନସଭାରେ ଯାହା କାର୍ଯ୍ୟକ୍ରମ ହେଉଛି ଆଇନ ଅନୁସାରେ ଆଲୋଚନା ହେଉଛି ।

ସେପଟେ ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇଥିବା ପ୍ରଭାତ ବିଶ୍ୱାଳ ମୁହଁ ଖୋଲିଛନ୍ତି । ଆଉ କହିଛନ୍ତି, ସେ ନ୍ୟାୟରେ ଅଛନ୍ତି । ସମ୍ବିଧାନ ଓ ନ୍ୟାୟପାଳିକା ଉପରେ ତାଙ୍କର ଭରସା ରହିଛି । ଇଡି ମାନହାନି କରିଛି । ସମୟ ବଡ ବଳବାନ ଓ ସମୟ ଆସିଲେ ସବୁ ଜଣାପଡିବ । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ବଳରେ ପ୍ରଭାତଙ୍କ ନାଁରେ କଟକ ଷ୍ଟେଟ୍ ବ୍ୟାଙ୍କରେ ଥିବା ୨୫ ଲକ୍ଷ ଟଙ୍କାକୁ ଆଟାଚ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଧାନସଭାରେ ଅନେକ ଗୁରୁତ୍ୱ ପ୍ରସଙ୍ଗରେ ଆଲୋଚନା ହେଉଛି । କିନ୍ତୁ ଆଇନର ଆଳ କରି ଚିଟଫଣ୍ଡ ପ୍ରସଙ୍ଗରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛନ୍ତି ସରକାର । ସେପଟେ ଲକ୍ଷ ଲକ୍ଷ ଜମାକାରୀ ନ୍ୟାୟ ଅପେକ୍ଷାରେ ବସିଛନ୍ତି ।