ଜେଲରେ ଡାକ୍ତର ପାଲଟିଗଲେ ଅତର ବ୍ୟବସାୟୀ ପୀୟୁଷ ଜୈନ୍ । ଓପିଡିରେ କରୁଛନ୍ତି କଏଦୀଙ୍କଠାରୁ ଅଧିକାରୀ ସମସ୍ତଙ୍କ ଚିକିତ୍ସା

336

କନକ ବ୍ୟୁରୋ: କାନପୁର ଜେଲରେ ବନ୍ଦ ଥିବା ପର୍ଫ୍ୟୁମ୍ ବ୍ୟବସାୟୀ ପୀୟୁଷ ଜୈନ୍ ଏବେ ଡାକ୍ତର ପାଲଟିଯାଇଛନ୍ତି । ଜେଲରେ ହୋମିଓପାଥୀ ମେଡିସିନରେ କଏଦୀଙ୍କର ଚିକିତ୍ସା କରୁଛନ୍ତି ପୀୟୁଷ । ତାଙ୍କ ସମ୍ପର୍କୀୟଙ୍କ କହିବା ମୁତାବକ, ପୀୟୁଷ ବିଦେଶର ଏକ ଖ୍ୟାତାନାମା ୟୁନିଭର୍ସିଟିରୁ ହୋମିଓପାଥୀରେ କୋର୍ସ କରିଛନ୍ତି । ହୋମିଓପାଥୀ ଚିକିତ୍ସା ଉପରେ ପୀୟୁଷଙ୍କର ଭଲ ଦଖଲ ମଧ୍ୟ ରହିଛି । ଏବେ ଏହାର ସୁଲାଭ ପାଉଛନ୍ତି କଏଦୀ । କେବଳ କଏଦୀ ନୁହଁନ୍ତି ଜେଲର ଅଧିକାରୀମାନେ ମଧ୍ୟ ପୀୟୁଷଙ୍କ ଠାରୁ ଔଷଧ ନେଇ ସେବନ କରୁଥିବା କହିଛନ୍ତି ଜେଲର୍ ।

କାନପୁର ଜେଲରେ ରହିଛି ହୋମିଓପାଥୀ ହସ୍ପିଟାଲ । ଏଠାରେ ଅନେକ ହୋମିଓପାଥୀ ଔଷଧ ମିଳେ । ଏବେ ଏଠାରେ ଓପିଡି ଦୁଇ ଦିନ ଖୋଲା ରହୁଛି । ଏଠାରେ ଡାକ୍ତର ସାଜିଛନ୍ତି ଇତର ବ୍ୟବସାୟୀ ପୀୟୁଷ ଜେନ୍ । କଏଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଉଚିତ ହୋମିଓପାଥୀ ମେଡିସିନ ଦେଉଛନ୍ତି । ଯାହା ଜେଲରେ ଉପଲବ୍ଧ ହେଉନାହିଁ ସେ ଔଷଧକୁ ଜେଲ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବାହାରୁ ମଗାଯାଉଛି ।

ଜଣେ କଏଦୀଙ୍କର ପଥୁରୀ ରୋଗ ଯୋଗୁଁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହି ଖବର ପାଇ ତାଙ୍କ ପାଖରେ ପହଞ୍ଚିଥିଲେ ପୀୟୁଷ । ହୋମିଓପାଥୀ ଚିକିତ୍ସା ଆରମ୍ଭ କରିବା ପରେ କଏଦୀଙ୍କର ଯନ୍ତ୍ରଣା ଦୂର ହୋଇଥିଲା । ବାସ୍ ଏହି ଘଟଣା ପରେ ତାଙ୍କ ପାଖକୁ କଏଦୀଙ୍କର ସୁଅ ଛୁଟୁଛି । ଜେଲରେ ବେଶି କାହା ସହ କଥାବାର୍ତ୍ତା କରନ୍ତି ନାହିଁ ପୀୟୁଷ । ହେଲେ ଯାହାର ଦେହ ଖରାପ ହେଲା ତୁରନ୍ତ ତାଙ୍କ ପାଖରେ ପହଞ୍ଚିଯାଇ ଔଷଧ ଲେଖିଦିଅନ୍ତି ।

କହିରଖୁଁ, ଗତ ବର୍ଷ ଡିସେମ୍ବର ୬ ତାରିଖ କନୌଜର ଏହି ଇତର ବ୍ୟବସାୟୀଙ୍କ ଘର ଇଡି ରେଡ୍ କରି ୧୯୬ କୋଟି ଟଙ୍କାର ନଗଦ ଟଙ୍କା ସହ , ସୁନା ଅଳଙ୍କାର ଓ ଦାମୀ ସାମଗ୍ରୀ ଜବତ କରିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇ କାନପୁର ଜେଲ ପଠାଯାଇଥିଲା ।