ଏମିତି ଗାଁ, ଯେଉଁଠି ଚାଲିବନି ଭାରତର ନିୟମ । କେନ୍ଦ୍ର କି ରାଜ୍ୟର କାହାରି ନିୟମ ମାନିବାକୁ ନାରାଜ ଗ୍ରାମବାସୀ ।

274

କନକ ବ୍ୟୁରୋ: ନିଜ ଗାଁରେ ଚାଲିବ ନିଜ ଶାସନ । ଗାଁରେ ଚଳିବ ନାହିଁ ସମ୍ବିଧାନର ଆଇନ୍ କାନୁନ୍ କି ଗ୍ରାମବାସୀ ମାନିବେ ନାହିଁ କେନ୍ଦ୍ର କି ରାଜ୍ୟ ସରକାରଙ୍କ ନୀତି ନିୟମ । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ଗାଁରୁ ଆସିଛି ବିଛିନ୍ନତାବାଦୀ ମାନସିକତାର ସାଘାଂତିକ ଚିତ୍ର । ଦେଶ ସ୍ୱାଧୀନ ହେବାର ୭୬ ବର୍ଷ ବିତିଲାଣି, ଦେଶରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ରହିଛି । ହେଲେ ସୁନ୍ଦରଗଡ ଜିଲ୍ଲା ଲୁଲୁକିଡିହିରୁ ବିଛିନ୍ନତାବାଦୀ ମାନସିକିତାର ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ଏହି ଗାଁର ଆଦିବାସୀ ସରକାରକୁ ମାନିବେ ନାହିଁ କି ପ୍ରଶାସନ ମାନିବେ ନାହିଁ ବୋଲି ସିଧା ସିଧା ଶୁଣାଇ ଦେଇଛନ୍ତି । ସରକାରୀ ଯୋଜନା କିମ୍ବା ସୁବିଧା ନେବେ ନାହିଁ ବୋଲି ରୋକଠୋକ୍ ମନାକରିଦେଉଛନ୍ତି । ଏହାସହ ଆଧାରକାର୍ଡ, ରାସନକାର୍ଡ, ଭୋଟର ଆଇଡିକାର୍ଡ , ସ୍ୱାସ୍ଥ୍ୟ ବୀମା କାର୍ଡକୁ ପ୍ରଶାସନକୁ ଫେରାଇ ଦେଇଛନ୍ତି ।

ତେବେ ଅପହଞ୍ଚ ଇଲାକାରେ ରହି ଏହି ଲୋକମାନେ ଏପରି ମାନସିକତାର ବଶବର୍ତୀ ହେଲେ କିପରି? ଅନୁସନ୍ଧାନ କରିବାରୁ ଜଣାପଡିଛି ଏହା ପଛରେ ଗୁଜୁରାଟର ଏକ ସଙ୍ଗଠନ ଏ.ସି ଭାରତ ସରକାର କୁଟୁମ୍ବ ପରିବାର କାର୍ଯ୍ୟ କରୁଛି । ଏହି ସଙ୍ଗଠନର ମୁଖ୍ୟ କୁଅଁର କେଶରୀ ସିଂ ନିଜକୁ ଭାରତ ସରକାର ବୋଲି ଅଭିହିତ କରି ସମ୍ବିଧାନ ଓ ସରକାର ଠାରୁ ଉଦ୍ଧ୍ୱର୍ରେ ବୋଲି ବିବେଚନା କରୁଛନ୍ତି । ଯାହାକୁ ତାଙ୍କର ଅନୁଗାମୀ ଅନ୍ଧ ଭାବେ ବିଶ୍ୱାସ କରି ଏପରି ବିଛିନ୍ନତାବାଦୀ ମାନସିକତାର ବଶବର୍ତୀ ହେଉଛନ୍ତି ।

ଏହି ଘଟଣା ପ୍ରଶାସନର ନଜରକୁ ଆସିଲା ପରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ଆଉ ଏହି ଟିମ୍ ଗୋଟିଏ ଥର ସେହି ଗାଁକୁ ଯାଇ କିଏ ଆଦିବାସୀଙ୍କୁ କିଏ ଉସୁକାଉଛି ତାର ତଦନ୍ତ କରିବା ସହି ଲୋକଙ୍କୁ ବୁଝାସୁଝା କରିଛନ୍ତି । ତଥାପି ଯଦି ଲୋକମାନେ ଏଥିରୁ ନିବୃତ ନହେଲେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି ।