ଡେଥ୍ ପଏଣ୍ଟ ପାଲଟିଛି ରାଜଧାନୀର ପ୍ରବେଶ ପଥ ପଳାଶୁଣି ଛକ: ପ୍ରତିଦିନ ଘଟୁଛି ଦୁର୍ଘଟଣା, ଯାଉଛି ଜୀବନ

75

କନକ ବ୍ୟୁରୋ: ରାଜଧାନୀର ଦୁଆର ମୁହଁ ପଳାଶୁଣି ଛକ ସାଜିଛି ଡେଥ୍ ପଏଂଟ । ଏହି ଛକରେ ପ୍ରତିଦିନ ଘଟୁଛି ଛୋଟବଡ ଦୁର୍ଘଟଣା । ଏମିତିକି ଏହି ଛକରେ ଦୁର୍ଘଟଣା ଘଟି ୨ବର୍ଷ ଭିତରେ ପ୍ରାୟ ୬୦ ଜଣଙ୍କ ଜୀବନ ଗଲାଣି । ଗତକାଲି ଦ୍ରୁତଗାମି ଟ୍ରକ ଧକ୍କାରେ ଦମ୍ପତିଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ସବୁ ଦେଖି, ଜାଣି ମଧ୍ୟ ନୀରବ ଦ୍ରଷ୍ଟା ପାଲଟିଛି ପ୍ରଶାସନ ।

ମେ’ ୮ତାରିଖ, ବୁଧବାର । ଭୋରୁ ଭୋରୁ ଏହି ଛକରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ସୋନପୁର-ଭୁବନେଶ୍ୱର ବସରୁ ଓହ୍ଲାଇ ରାସ୍ତା ପାର ହେବାବେଳେ ଦମ୍ପତିଙ୍କୁ ଘୋଷାରି ନେଇଥିଲା ଏକ ଦ୍ରୁତଗାମି ଟ୍ରକ । ଆଉ ଟ୍ରକର ଚକ ତଳେ ଚାପି ହୋଇଯାଇଥିଲେ ଦମ୍ପତି । ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହି ଛକରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ଅନେକ ସମୟରେ ଲୋକଙ୍କ ଜୀବନ ଯାଉଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉଦବେଗ ପ୍ରକାଶ କରୁଥିଲେ ବି ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଗୋଟିଏ ପଟେ ଜାତୀୟ ରାଜପଥରେ ଦ୍ରୁତ ଗତିରେ ବସ୍, ଟ୍ରକ୍ କାର ଚାଲିଛି । ଆଉ ତାରି ଭିତରେ ଅତି ବିପଦଜନକ ଭାବେ ରାସ୍ତା ପାର ହେଉଛନ୍ତି ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବହୁ ଲୋକେ । ହେଲେ, ଉପାୟ ନାହିଁ ।

ଦୁର୍ଘଟଣା ରୋକିବାକୁ ଏଠାରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକ ଦୀର୍ଘବର୍ଷ ଧରି ଦାବି କରୁଛନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି କର୍ପୋରେଟର,ବିଧାୟକ,ସାଂସଦଙ୍କୁ ବାରମ୍ବାର ଅନୁରୋଧ କରିବା ସହ ଆନ୍ଦୋଳନ ଓ ରାସ୍ତାରୋକ ମଧ୍ୟ କରିଛନ୍ତି । ହେଲେ ଲୋକପ୍ରତିନିଧିଠାରୁ ଆରମ୍ଭ କରି ପ୍ରଶାସନ ସମସ୍ତେ ଯେମିତି ନିଦାବିଷ୍ଣୁ ପାଲଟିଛନ୍ତି ।

ଏସବୁ ଭିତରେ ଠିକାଦାର ନିର୍ମାଣ କାମକୁ ଅଧାପନ୍ତରିଆ କରି ପକାଇ ଚାଲିଯାଇଥିବା ସୂଚନା ମିଳିଛି । ତେବେ ପ୍ରଶ୍ନ ଉଠୁଛି, ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ? କେବେ ଶେଷ ହେବ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ?