ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର: କୋରାପୁଟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଓ ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ, ଏପଟେ କୃଷ୍ଣପ୍ରସାଦରେ ନୀତିନ ଗଡକରୀଙ୍କ ଜନସଭା

163

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, କେନ୍ଦ୍ର ବିଜେପିର ତୁଙ୍ଗ ନେତାଙ୍କ ଓଡ଼ିଶା ଗସ୍ତ ସେତିକି ବଢ଼ିବାରେ ଲାଗିଛି । ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରି ଓଡ଼ିଶାରେ ଆସି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ସଡ଼କ ଭିତିଭୂମିର ବିକାଶ ପାଇଁ ଗ୍ୟାରେଂଟି ଦେଇଛନ୍ତି ଗଡ଼କରୀ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି ୮ହଜାର କୋଟି ବ୍ୟୟରେ ୧୭୭କିମି ହେବ ରତନପୁର-ଦୀଘା ରାସ୍ତା । କଟକ ପାରାଦୀପ ରାସ୍ତା ୪ଲାଇନ ବିଶିଷ୍ଟ ହେବ । ଏଥିପାଇଁ ୨ହଜାର ୩୭୦କୋଟି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ୱର- ସମ୍ବଲପୁର ଗ୍ରୀନ ଫିଲ୍ଡ ରିଙ୍ଗ କରିଡର ହେବ । ଦକ୍ଷିଣରେ ବିଜେପି ନେତାଙ୍କ ଘନଘନ ଗସ୍ତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ବି ଜାରି ରହିଛି । ଗଂଜାମ ଓ କନ୍ଧମାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ୩ ଦିନ ବାକି । ଆଉ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି-ବିଜେପିର ଶୀର୍ଷ ନେତା । ନବୀନ ପଟ୍ଟନାୟକ ବିଜେଡି ପ୍ରଚାରର ମଙ୍ଗ ଧରିଥିବାେବେଳେ ବିଜେପିର ଜାତୀୟ ନେତା କରିଛନ୍ତି ହାଇଭୋଲଟେଜ ପ୍ରଚାର । ୩-୩ ଜଣ ମୁଖ୍ୟମନ୍ତ୍ରୀ ପ୍ରଚାରର ମଙ୍ଗ ଧରିଛନ୍ତି ।

ଦକ୍ଷିଣ ଓଡିଶାକୁ ବିଜେପି ଫୋକସ କରିଥିବା ବେଳେ ବିଜେଡି ବି ପଛରେ ପଡିନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିର ଗଡ କୁହାଯାଉଥିବା ଗଂଜାମ ଓ କନ୍ଧମାଳରେ ସଭା କରିଛନ୍ତି । ଗୋପାଳପୁର ନିର୍ବାଚନମଣ୍ଡଳୀର କନିଷି ଓ ଆସ୍କାରେ ଜନସଭା କରି ସରକାରଙ୍କ ସଫଳତା ବଖାଣିଛନ୍ତି ନବୀନ । ପରୋକ୍ଷରେ ବ୍ରହ୍ମପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଦୁଇ ସଭା ପରେ ଅପରାହ୍ନରେ କନ୍ଧମାଳ ଗସ୍ତ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ୧୧ ତାରିଖରେ ମୋଦୀ କନ୍ଧମାଳ ଆସିବା ପୂର୍ବରୁ ନବୀନ କନ୍ଧମାଳରେ ବିଜେଡି ପାଇଁ ଭୋଟ ମାଗିଛନ୍ତି ।

ମୋଦି, ଶାହା ଓ ନଡ୍ଡାଙ୍କ ପରେ ରାଜ୍ୟରେ ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକାରୀ । କୃଷ୍ଣପ୍ରସାଦର ଚାରିଛକ ପଡିଆରେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କ ପାଇଁ ପ୍ରଚାର କରିଥିଲେ । ସେ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବା ସହ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ନୀତିନ କହିଛନ୍ତି, ବିଜେପି ଯାହା କହେ ତାହା କରେ । ଆଗାମୀ ୧୦ ବର୍ଷରେ ସବୁ ଯାନ ହାଇଡ୍ରୋଜେନରେ ଚାଲିବ । ପାରାଦୀପରେ ଏୟାରପୋର୍ଟ ଓ ଭୁବନେଶ୍ୱରରେ ରିଂ ରୋଡ ହେବ ବୋଲି ସେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଗଡକାରୀ ପୁରୀରେ ପଂହଚି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିଜେପି କର୍ମକର୍ତ୍ତାଙ୍କୁ ଭେଟିଥିଲେ ।

ଦିନିକିଆ ଓଡିଶା ଗସ୍ତରେ ଆସି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ନବୀନ ପଟ୍ଟନାୟକଙ୍କ ଉପରେ ସିଧା ହମଲା କରିଛନ୍ତି । ମାଲକାନଗିରିର ଏମପିଭି-୮୧, ମାଥିଲି ଓ ଗଂଜାମର ଖଲ୍ଲିକୋଟରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ନିଜ ଭାଷଣରେ ହେମନ୍ତ ବିଶ୍ୱଶର୍ମା କହିଛନ୍ତି, ନବୀନ ଓଡିଶାବାସୀଙ୍କୁ ଭଲ ପାଆନ୍ତି ନାହିଁ, କେବଳ ପାଣ୍ଡିଆନକୁ ଭଲ ପାଆନ୍ତି । ସେହିଭିଳି ବିଜେପି କ୍ଷମତାକୁ ଆସିଲେ ମାଲକାନଗିରିର ବଙ୍ଗୀୟ ଗାଁଗୁୁଡିକୁ ରାଜସ୍ୱ ଗାଁର ମାନ୍ୟତା ଦିଆଯିବା ସହ ନମ୍ବର ଟ୍ୟାଗ ହଟାଇଦିଆଯିବ ।

କୋରାପୁଟରେ ଦ୍ୱିତୀୟ ଦିନ ଲାଗି ପ୍ରଚାରର ମଙ୍ଗ ଧରିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣଦେଓ ସାଏ । ସେ ଆଜି ଲକ୍ଷୀପୁରରେ ପ୍ରଚାର କରିଛନ୍ତି । ଆଉ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ପ୍ରୟାସ କରିଛନ୍ତି । ତେବେ କାଳବୈଶାଖୀ ଯୋଗୁଁ ପଟାଙ୍ଗୀ ଓ କୋରାପୁଟରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସମାବେଶ ହୋଇପାରିନାହିଁ ।