କାଲି ଦିନ ୨ଟାରୁ ଜନପଥରେ ଗାଡି ଚଳାଚଳ ଉପରେ କଟକଣା । ଅକ୍ଷୟ ତୃତୀୟା ହୋଇଥିବାରୁ ପ୍ରଭାବିତ ହୋଇପାରେ ସୁନା କାରବାର ।

138

କନକବ୍ୟୁରୋ : ଆସନ୍ତାକାଲି ରାତି ୮ଟାରେ ଭୁବନେଶ୍ୱରରେ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ କାଲି ଅକ୍ଷୟ ତୃତୀୟା ହୋଇଥିବାରୁ ଓ ମୋଦୀଙ୍କ ରୋଡ ସୋ’ ଜନପଥରେ ଥିବାରୁ ମାନ୍ଦା ପଡ଼ିଯାଇପାରେ ସୁନା ବ୍ୟବସାୟ । କାରଣ ଟ୍ରାଫିକ କଟକଣା ଜାରି କରାଯାଇ ମାଷ୍ଟରକ୍ୟାଂଟିନରୁ ବାଣୀବିହାର ରାସ୍ତା ବନ୍ଦ ରହିବା ସହ ଦୋକାନ ମଧ୍ୟ ବନ୍ଦ ରହିବ । ନିର୍ବାଚନ ବର୍ଷରେ ଅକ୍ଷୟ ତୃତୀୟାରେ ସୁନା ଦୋକାନୀଙ୍କ ବ୍ୟବସାୟ ମାନ୍ଦା ପଡ଼ିଯାଇପାରେ ।

ମାଷ୍ଟର କ୍ୟାଣ୍ଟିନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଥିବା ସୁନା ଦୋକାନରେ ଅସମ୍ଭାଳ ଭିଡ । ଏହି ଦିନ ସୁନା କିଣିଲେ ଶୁଭ ହୁଏ ବୋଲି ବିଶ୍ୱାସ ଥିବାରୁ ଜନପଥର ସୁନା ଦୋକାନରେ ଖଚାଖଚ ଭିଡ । କିନ୍ତୁ ଏ ବର୍ଷ ସ୍ଥିତି ନିଆରା । ନିର୍ବାଚନ ବର୍ଷର ଅକ୍ଷୟ ତୃତୀୟାରେ ସୁନା ଦୋକାନୀଙ୍କ ବ୍ୟବସାୟ ମାନ୍ଦା ପଡିଯାଇପାରେ । କାରଣ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ତାପୁଣି ଛୋଟ ବଡ ସୁନା ଦୋକାନ ଥିବା ଜନପଥ ରାସ୍ତାରେ ।

ସ୍ପଷ୍ଟଭାବେ ଲେଖାଯାଇଛି ୧୦ ତାରିଖ ଅପରାହ୍ନ ୨ଟାରୁ ମୋଦୀଙ୍କ ରୋଡ ସୋ ସରିବା ପର୍ଯ୍ୟନ୍ତ ଏହି ରାସ୍ତାକୁ ସିଲ କରାଯିବ ଅର୍ଥାତ ଏହି ରାସ୍ତା ଦେଇ କୌଣସି ଯାନବାହାନ ଯାଇପାରିବ ନାହିଁ । ସୁନା ଦୋକାନୀଙ୍କ ମୁଣ୍ଡରେ ଚଡକ ପଡିଲାଣି । ଯେଉଁ ସମୟରେ ଅଧିକ ଭିଡ ହୁଏ ସେହି ସମୟରେ ରୋଡ ସୋ ଯୋଗୁଁ ବ୍ୟବସାୟ ମାନ୍ଦା ପଡିବ ବୋଲି ଆକଳନ କରିସାରିଲେଣି । କିଛି ସୁନା ଦୋକାନୀଙ୍କ କହିବା କଥା କିଛି ଲୋକ ଆଜି ଆସି ସୁନା କିଣୁଛନ୍ତି, କିଛି ଲୋକ ସକାଳୁ ଆସିପାରନ୍ତି ।

ସେଥିପାଇଁ ସକାଳ ୮ଟାରୁ ସୁନା ଦୋକାନ ଖୋଲା ରହିବ । ଅକ୍ଷୟ ତୃତୀୟାରେ ରାଜଧାନୀରେ ଭଲ ସୁନା ବ୍ୟବସାୟ ଲକ୍ଷ୍ୟରେ ବିଭିନ୍ନ ପ୍ରକାର ଅଫର ବି ଦେଇଛନ୍ତି ଗହଣା ଦୋକାନୀ । ହେଲେ ଦିନଯାକ ଯାହା ବ୍ୟବସାୟ ହେବ ସେତିକିରେ ସନ୍ତୁଷ୍ଟ ହେବାକୁ ପଡିବ । ସଂଧ୍ୟାରେ ବେପାର ମାନ୍ଦାହେବା ନିଶ୍ଚିତ ବୋଲି ଧରି ନେଇଛନ୍ତି ସୁନା ଗହଣା ବ୍ୟବସାୟୀ ମାନେ ।