ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୃଦ୍ଧି ହେବ କି ସମୟସୀମା? ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ ।

164

କନକ ବ୍ୟୁରୋ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର ଡେଡଲାଇନ ସରିଆସୁଥିବାବେଳେ, ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ନମ୍ବର ପ୍ଳେଟ ଲଗାଇବାର ସମୟ ସୀମା ବୃଦ୍ଧି ହେବ କି ନାହିଁ ସେ ନେଇ ୨ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆବଶ୍ୟକ ଭିତ୍ତିଭୂମି ନଥାଇ ସରକାର ଡେଡଲାଇନ ଘୋଷଣା କରିଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦୁଇ ବସ୍ ମାଲିକ ।

  • ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୃଦ୍ଧି ହେବ କି ନାହିଁ ସମୟସୀମା
  • ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ
  • ୨ ଦିନ ମଧ୍ୟରେ ଜବାବ ରଖିବେ ରାଜ୍ୟ ସରକାର
  • ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଡେଡଲାଇନ୍ ପାଖେଇ ଆସୁଥିବା ବେଳେ ଗାଡ଼ି ମାଲିକଙ୍କ ଚିନ୍ତା ବଢ଼ିଯାଇଛି । ଗୋଟିଏ ପଟେ ଡିସେମ୍ବର ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ ଶେଷ ହୋଇଯାଇଛି । ଅନ୍ୟପଟେ ସ୍ଲଟ ବୁକିଂ ସ୍ଲିପ୍ ନଥିଲେ ଅକ୍ଟୋବର ମାସରୁ ଜରିମାନା ଆଦାୟ ହେବ ବୋଲି ନିୟମ କଡ଼ାକଡ଼ି କରିଛି ପରିବହନ ବିଭାଗ । ଏ ନେଇ ଦୁଇ ଜଣ ବସ୍ ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ପରିବହନ ବିଭାଗକୁ ଜବାବ ମାଗିଛନ୍ତି ଉଚ୍ଚ ନ୍ୟାୟାଳୟ । ଆବେଦନକାରୀଙ୍କ ଯୁକ୍ତି ହେଉଛି-

  • ଆବଶ୍ୟକ ଭିତ୍ତିଭୂମି ନଥାଇ ସରକାର ଏପରି ଡେଡ୍ଲାଇନ୍ ଘୋଷଣା କରୁଛନ୍ତି
  • ରାଜ୍ୟରେ ଏବେ ବି ସବୁ ସ୍ଥାନରେ ଅନଲାଇନ୍ରେ ସ୍ଲଟ୍ ବୁକିଂରେ ସମସ୍ୟା ରହିଛି
  • ଅନଲାଇନରେ ଟଙ୍କା ଡିପୋଜିଟ୍ କରି ନମ୍ବର ଲଗାଇବା ପାଇଁ ପୁଣି କାହିଁକି ଅପେକ୍ଷା କରିବେ ଲୋକେ?
  • ମାମଲାରେ ରାଜ୍ୟ ସରକାର, ପୁଲିସ ଡିଜି, ପରିବହନ ବିଭାଗ ସଚିବଙ୍କ ସହ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ନିର୍ଦ୍ଧାରିତ ସମୟ ସୀମା ଆଉ ବୃଦ୍ଧି ହେବ କି ନାହିଁ, ପରିବହନ ବିଭାଗକୁ ଜବାବ ମାଗିଛନ୍ତି ହାଇକୋର୍ଟ । ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏବେ ସବୁଠୁ ବଡ଼ ଚିନ୍ତାଜନକ ବିଷୟ ହେଉଛି –

  • ବର୍ତ୍ତମାନ ସୁଦ୍ଧା ମାତ୍ର ୭ ଲକ୍ଷ ୩୦ ହଜାର ୩୦୩ ଗାଡିରେ ନମ୍ବର ପ୍ଲେଟ୍ ଲାଗି ପାରିଛି
  • ସେପ୍ଟେମ୍ବର ୨୫ ସୁଦ୍ଧା ବୁକିଂ ହୋଇଛି ମାତ୍ର ୧୬ ଲକ୍ଷ ୭୮ ହଜାର ୧୬୩ ଗାଡିର ସ୍ଲଟ୍
  • ଏପ୍ରିଲ ୨୦୧୯ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ
  • ରାଜ୍ୟରେ ପ୍ରାୟ ୮୦ ଲକ୍ଷ ପୁରୁଣା ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍
  • ନିୟମ ନମାନିଲେ ଅକ୍ଟୋବର ପହିଲାରୁ ଫାଇନ୍ ଆଦାୟ କରିବ ପରିବହନ ବିଭାଗ

ନଜର ପକାନ୍ତୁ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଣ?

  • ଏହି ପ୍ଲେଟ୍ ଆଲୁମିନିଅମରେ ନିର୍ମିତ
  • ଲେଜର୍ ଏନ୍କୋଡିଂ କରାଯାଇଛି
  • ସହଜରେ ସ୍କାନିଂ କରିହେବ
  • ଗାଡ଼ି ନମ୍ବରରୁ ଇଞ୍ଜିନ ନମ୍ବର, ଚେସିସ୍ ନମ୍ବରର ତଥ୍ୟ ମିଳିପାରିବ
  • ଟାମ୍ପରିଂ କରି ହେବନାହିଁ
  • ନମ୍ବରକୁ ପରିବର୍ତ୍ତନ କରିବା ସମ୍ଭବ ହେବନି