ରାୟଗଡ଼ା କାହାର ? କାହାକୁ ଆଶୀର୍ବାଦ କରିବେ ଜନତା ? ଭାରି ପଡ଼ିବେ କି ସ୍ୱାଧୀନ ପ୍ରାର୍ଥୀ ?

77

କନକ ବ୍ୟୁରୋ : ୨୪ ସିଂହାସନ ଲଢେଇରେ ରାୟଗଡାରେ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ କଡା ଟକ୍କର ଦେଉଛନ୍ତି ସ୍ୱାଧୀନ ପାର୍ଥୀ । ଶାସକ ବିଜେଡି ପ୍ରଥମ କରି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝୀ ନିର୍ବାଚନ ମଇଦାନରେ ଅଛନ୍ତି । ବିଜେପି ଦ୍ୱୀତିୟ ଥର ପାଇଁ ବସନ୍ତ ଉଲ୍ଲାକାଙ୍କୁ ବିଶ୍ୱାସକୁ ନେଇଥିବା ବେଳେ ୨୦୧୯ରେ ତୃତୀୟ ସ୍ଥାନରେ ଥିବା ଆପଲାସ୍ୱାମୀ କାଡ୍ରାକାଙ୍କୁ ପୁଣି ଥରେ ଭରସା କରିଛି ଜାତୀୟ କଂଗ୍ରେସ ।

କାଶିପୁର ଓ ରାୟଗଡା ସଦରକୁ ନେଇ ଗଠିତ ରାୟଗଡ଼ାରେ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୦ ହଜାର ୫୬୬ । ଆଦିବାସୀ ଭୋଟର ସର୍ବାଧିକ । ତେଣୁ ସେମାନେ ଯାହାକୁ ଆଶୀର୍ବାଦ କରିବେ ସେ ବିଜୟ ମୁକୁଟ ପିନ୍ଧିବା ନିଶ୍ଚିନ୍ତ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ । ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ହାତକୁ ଯାଇଥିଲା ରାୟଗଡ଼ା ଆସନ । ଏଥର ମଧ୍ୟ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ସ୍ୱାଧୀନ ପ୍ରାର୍ଥୀ ସୁଚିତ୍ରା ମାଝୀ ଟକ୍କର ଦେବାର ଆଶଙ୍କା କରାଯାଉଛି ।

ଦିନେ କଂଗ୍ରେସର ଅଭେଦ୍ୟ ଗଡ ଭାବେ ପରିଚିତ ଥିଲା ଏହି ଆସନ । କିନ୍ତୁ ୨୦୦୯ରୁ କଂଗ୍ରେସ ଏଠି ବାରମ୍ବାର ପରାଜିତ ହେଉଥିବା ବେଳେ ବିଜେପି ବୁଲକୁଲ୍ ଖାତା ଖୋଲି ପାରିନାହିଁ ।