କଟକ ଜଗତପୁର ଭିତରକୁ ପଶିଆସିଲା ହାତୀ । ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ, ଭାଙ୍ଗିଲା ଘର ଓ ଗାଡ଼ି ।

73

କନକ ବ୍ୟୁରୋ: କଟକ ଜଗତପୁର ଅଞ୍ଚଳରେ ହାତୀ ବୁଲିବା ଖବର ଆତଙ୍କ ସୃଷ୍ଟି କରିଛି । ବାଟବଣା ହୋଇ ସହର ଭିତରକୁ ଚାଲି ଆସିଥିବା ହାତୀ ରାସ୍ତା ଉପରେ ବୁଲିବା ସହ ଉତ୍ପାତ କରିଛି । ସହର ଭିତରେ ଘର ଦ୍ୱାରା ଓ ଗାଡି ଭଙ୍ଗାରୁଜା କରିଛି । ଏପରିକି ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆତଙ୍କ ସୃଷ୍ଟି ହେବା ପରେ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା ବନବିଭାଗ । ଆଉ ଶେଷରେ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିଥିବା ଜଣାପଡିଛି ।

  • ଜଗତପୁରରେ ହାତୀ ଆତଙ୍କ
  • ଆକ୍ରମଣରେ ୨ ମୃତ, ୨ଗୁରୁତର

ବାଟବଣା ହୋଇ ଜଗତପୁର ବଜାର ଭିତରକୁ ଚାଲି ଆସିଥିବା ହାତୀ ଆତଙ୍କ ସୃଷ୍ଟି କରିଥିଲେ । ସହର ଭିତରରେ ବାଟ ନପାଇ ଏଣେ ତେଣେ ଘୁରୁି ବୁଲୁଥିଲେ । ଏହିି ସମୟରେ ଯିଏ ସାମନାରେ ପଡିଲା ତାକୁ ଆକ୍ରମଣ କଲେ । ଏପରିକି ହାତୀ ଜଣେ ବୃଦ୍ଧ ଓ ଜଣେ ବୃଦ୍ଧାଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ଆଉ ୨ଜଣ ଗୁରୁତରଙ୍କୁ ବଡ ମେଡିକାଲରେ ଭର୍ତି କରାଯାଇଛି । ଏଥିସହ ନିମପୁର ଅଞ୍ଚଳରେ କେତେକ ଘର ଓ କାର ଭାଙ୍ଗି ଦେଇଛନ୍ତି । ସହର ଭିତରେ ରାତି ଅଧରେ ଉତ୍ପାତ ମଚାଇବା ପରେ ଏବେ ନିକଟରେ ଥିବା ଗାଁ ଭିତରେ ପସିଥିବା ଉଦ୍ୟମ କରୁଥିଲେ । ହାତୀ ବୁଲୁଥିବା ଖବର ଶୁଣି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ହାତୀ ସହର ଭିତରକୁ ପଶି ଆସିଥିବା ଖବର ପାଇ ଘଉଡ଼ାଇବା ପାଇଁ ଅପରେସନ ଆରମ୍ଭ କରିଥିଲା ବନ ବିଭାଗ । ଏଥିରେ ବନ ବିଭାଗର ୧୦୦ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ଆଉ ଶେଷରେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇଥିବା ସୂଚନା ମିଳିଛି । ତେବେ ଯୋବ୍ରା ଆନିକଟ ୧୪ ନମ୍ବର ଗେଟରେ ଏକ ହାତୀର ମୃତଦେହ ଲାଗିଥିବା ଦେଖାଯାଇଛି । ସେହି ହାତୀଟି ନଦୀ ପାଣିରେ ଭାସି ଆସିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ହାତୀର ମୃତଦେହକୁ କୂଳକୁ ଅଣାଯାଇଛି । କୁହାଯାଉଛି ଜଗତପୁର ଅଞ୍ଚଳରେ ବୁଲୁଥିବା ହାତୀ, ମୃତ ହାତୀ ସହ ଥିଲେ ଓ ବାଟବଣା ହୋଇ ସହର ଭିତରକୁ ପଶି ଆସିଥିଲେ ।