ବାପା-ପୁଅଙ୍କ ମଧ୍ୟରେ ପାଚେରୀ ସାଜିଛି ନେଟ୍ୱାର୍କ । ଗାଁରେ ନେଟ୍ ରହୁନଥିବାରୁ ପିଲା ଛୁଆଁଙ୍କୁ ଧରି ବାହାରେ ରହୁଛନ୍ତି ପୁଅ-ବୋହୂ, ଗାଁ ରେ ପଡିରହିଛନ୍ତି ବାପା ଓ ମା

165

କନକ ବ୍ୟୁରୋ : ପାରିବାରିକ ବିବାଦ ନାହିଁ, କି କାହାରି ଭିତରେ ମନମାଳିନ୍ୟ ନାହିଁ । କିନ୍ତୁ ପିଲାମାନେ ଭିନ୍ନ ଭିନ୍ନ ସ୍ଥାନରେ ରହୁଛନ୍ତି, ଆଉ ଗାଁରେ ରହୁଛନ୍ତି ବୁଢା ବାପା । ବୃଦ୍ଧଙ୍କ ଏକଲାପଣର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପରିଣତ ବୟସରେ ନେଟୱାର୍କ ବାପା-ପୁଅକୁ ଅଲଗା କରିଦେଇଛି । ଗାଁରେ ନେଟୱାର୍କ ନଥିବାରୁ ପିଲାମାନେ ପାଠ ପଢିପାରୁନାହାନ୍ତି, ଅନଲାଇନ୍ କାମ କରି ହେଉନାହିଁ । ତେଣୁ ପୁଅ ଗାଁ ଠାରୁ ଏକ କିଲୋମିଟର ଦୂରରେ ରହୁଛନ୍ତି ଗଞ୍ଜାମ ଖଲ୍ଲିକୋଟ ବ୍ଲକ କନକା ଗାଁର ଧନୁ ନାୟକଙ୍କ ପୁଅ । ଗାଁରେ ଏକା ରହୁଛନ୍ତି ଧନୁ । ଧନୁଙ୍କ ଭଳି ପ୍ରାୟ ୫ଶହ ପରିବାରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଡିଜିଟାଲ ଯୁଗ କଥା କହୁଛନ୍ତି ସରକାର । ବିଭିନ୍ନ ଯୋଜନାର ସଫଳତା ବଖାଣି ଭୋଟ ହାତେଇବା ଚେଷ୍ଟା କରୁଛନ୍ତି । ଆଉ ଭୋଟରଙ୍କୁ ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଜନତା । ନେଟ୍ୱାର୍କ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ଗିହାରି କଲେ ବି କେହି ଶୁଣିଲେ ନାହିଁ । ତେଣୁ ଭୋର୍ଟ ବର୍ଜନ ଭଳି ଚରମ ନିଷ୍ପତି ନେଇଛନ୍ତି କନକା ଗାଁର ଭୋଟର । ଘର ଆଗରେ ପୋଷ୍ଟର ଲଗାଇ ସମସ୍ୟା ଜଣାଇଛନ୍ତି । ନେଟୱାର୍କ ନାହିଁ ତ ଭୋଟ ନାହିଁ ନାରା ଦେଇଛନ୍ତି ।