ତାମିଲନାଡୁ ଛାତ୍ରଛାତ୍ରୀଙ୍କ ଭିନ୍ନ କାରନାମା ! କଦଳୀପତ୍ରରେ ନିର୍ମାଣ କଲେ ଅର୍ଗାନିକ କଲମ

130

ଏବେ ବଜାରରେ ବିଭିନ୍ନ ବ୍ରାଣ୍ଡର ଦାମୀ କଲମ ମିଳୁଛି । କିନ୍ତୁ ଆପଣ କେବେ ଅର୍ଗାନିକ କଲମ କଥା ଶୁଣିଛନ୍ତି । ଅଗାର୍ନିକ କଲମ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ନୂଆ କୌଶଳରେ ନିର୍ମିତ ହୋଇଥିବା ଏହି କଲମକୁ ତାମିଲନାଡୁର କିଛି ସ୍କୁଲ ଛାତ୍ରଛାତ୍ରୀ ତିଆରି କରିଛନ୍ତି । ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଶୁଣିଲେ ଆଶ୍ଚଯ୍ୟ ହେବା ସ୍ୱାଭାବିକ ।

ଧନରାଜ, ଧନୁଷ, ମନୋଜ, ଜ୍ୟୋତିପ୍ରିୟା, ଶଙ୍କର ଓ ତାମିଲସେଲଭମ । ତାମିଲନାଡୁର ପୁଡୁପାଲୟମ ଗ୍ରାମର ପଞ୍ଚାୟତ ସ୍କୁଲର ଏହି ୬ ଜଣ ଛାତ୍ରଛାତ୍ରୀ ଏକ ନୂତନ ଧରଣର କଲମ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ବଲ ପେନର ବିକଳ୍ପ ଭାବେ ଅର୍ଗାନିକ କଲମ ନିର୍ମାଣ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ପତ୍ର, କାଠିକୁ ବ୍ୟବହାର କରି ଅର୍ଗାନିକ କଲମ ନିର୍ମାଣ କରିଛନ୍ତି । କଦଳୀ ପତ୍ର, ଅମୃତଭଣ୍ଡା ପତ୍ର, ନଡିଆ ପତ୍ରକୁ କଲମର ଖୋଳ ଭାବେ ବ୍ୟବହାର କରାଯାଉଥିବା ବେଳେ ଏହାର ତଳ ପାଶ୍ୱର୍କୁ ମଇଦାରେ ସିଲ କରାଯାଇଥାଏ । ବିଭିନ୍ନ ପତ୍ରରେ ତିଆରି ହୋଇଥିବା ଖୋଳ ଭିତରେ କାଳି ପୂରାଇ ଏହାକୁ କଲମର ରୂପ ଦିଆଯାଇଛି । କଲମର ମୁନ ବା ନିବକୁ ଛାଡିଦେଲେ ଅନ୍ୟ ସମସ୍ତ ପାର୍ଟ ଜୈବିକ ଜିନିଷରେ ନିର୍ମିତ । ଏଭଳି କରି ପରିବେଶ ସଚେତନତାର ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ ।

ଏହାକୁ ବଲ ପେନ ଭଳି କିଛି ମାସ ପର୍ଯ୍ୟନ୍ତ ବ୍ୟବହାର କରିହେବ । ବଲ ପେନ ଭଳି ଏହି କଲମ ପରିବେଶକୁ ପ୍ରଦୂଷିତ କରିନଥାଏ । ଅର୍ଗାନିକ କଲମରୁ କାଳି ଶେଷ ହେବା ପରେ ଏହାକୁ ଫୋପାଡିଦେଲେ ଏହା ମାଟିରେ ମିଶି ଯାଇଥାଏ । ଏହି କଲମ ଏବେ ତାମିଲନାଡୁର ବିଭିନ୍ନ ସ୍କୁଲରେ ବହୁଳ ମାତ୍ରାରେ ବ୍ୟବହାର ହେଉଛି । କେବଳ ଏତିକି ନୁହେଁ ଏଭଳି ନୂଆ ଆବିଷ୍କାରକୁ ତାମିଲନାଡୁ ସରକାର ମଧ୍ୟ ବେଶ ପ୍ରଂଶସା କରିଛନ୍ତି । ଏହାକୁ ତାମିଲନାଡୁ ବିଜ୍ଞାନ ଫୋରମରେ ପ୍ରଦର୍ଶିତ ହୋଇଛି । ଏହି ପ୍ରୋଜେକ୍ଟକୁ ଜାତୀୟ ବିଜ୍ଞାନ କଂଗ୍ରେସରେ ଖୁବଶୀଘ୍ର ପ୍ରଦର୍ଶିତ କରାଯିବ ।

ଏହି ପ୍ରୋଜେକ୍ଟରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରୁଥିବା ଶିକ୍ଷକଙ୍କ କହିବା ଅନୁଯାୟୀ, ଜାତୀୟ ବିଜ୍ଞାନ କଂଗ୍ରେସ ୨୦୧୭ ପାଇଁ ଏହି ପ୍ରୋଜେକ୍ଟକୁ ପ୍ରସ୍ତୁତ କରାଯାଇଛି । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ଅର୍ଗାନିକ କଲମ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପରିବେଶ ଉପଯୋଗୀ ସିଗାରେଟ ଫିଲ୍ଟର ପ୍ରସ୍ତୁତ କରିଥିଲେ ବାଙ୍ଗାଲୋର ଦମ୍ପତି । ସେତେବେଳେ ଦମ୍ପତିଙ୍କ ଏଭଳି ପ୍ରୟାସକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।