ଯୋଗଗୁରୁଙ୍କୁ ଆସିଲା ସୁପ୍ରିମକୋର୍ଟଙ୍କ ଡାକରା: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

74

କନକ ବ୍ୟୁରୋ: ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ସମସ୍ୟାରେ ପତଞ୍ଜଳୀ ଆୟୁବେର୍ଦ ସଂସ୍ଥା । ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳୀ ଆୟୁବେର୍ଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି । ଏଥିସହ ଉଭୟଙ୍କୁ କୋର୍ଟଙ୍କ ଅବମାନନା ନୋଟିସ ମଧ୍ୟ ମିଳିଛି ।

କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପରେ ଏବେ ପୁଣିି ସମସ୍ୟାରେ ଯୋଗଗୁରୁ ବାବା ରାମଦେବ । ଦୁଇ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ରାମଦେବ ଓ ପତଞ୍ଜଳୀର ମ୍ୟାନେଜିଂ ଡିରେକ୍ଟର ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପତଞ୍ଜଳୀ ଆୟୁବେର୍ଦର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ସପ୍ତାହ ପରେ ହେବ ପରବର୍ତୀ ଶୁଣାଣୀ । ପତଞ୍ଜଳୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କୋର୍ଟରେ ନିଜ ପକ୍ଷ ରଖିଛନ୍ତି ।

ଅଭିଯୋଗ ଭିତରେ ‘ପତଞ୍ଜଳି’
-ଭାରତୀୟ ମେଡିକାଲ ଆସୋସିଏସନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ
-ପତଞ୍ଜଳି ଆୟୁବେର୍ଦର ବିଜ୍ଞାପନରେ ମିଛ ଦାବି କରୁଥିବା ଅଭିଯୋଗ କରିଥିଲେ
-ପିଟିସନ ଉପରେ ଶୁଣାଣି କରି ୩ ସପ୍ତାହ ଭିତରେ ଉତର ରଖିବାକୁ ପତଞ୍ଜଳିକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ
-କୋର୍ଟ କହିଥିଲେ ଯେଉଁ ପର୍ଯ୍ୟନ୍ତ ଶୁଣାଣି ସରିନି ସେ ପର୍ଯ୍ୟନ୍ତ ବିଜ୍ଞାପନ ପ୍ରକାଶ କରିପାରିବନି ପତଞ୍ଜଳି
-ଜବାବରେ ପତଞ୍ଜଳୀ ଚିଠି ଜରିଆରେ ଏକ ଅଣ୍ଡରଟେକିଂ ଲେଖି କୋର୍ଟଙ୍କୁ ଦେଇଥିଲେ କିନ୍ତୁ ବିଜ୍ଞାପନ ପ୍ରକାଶ ବନ୍ଦ କରିନଥିଲା
-ଏନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରି ଜବାବ ମାଗିଥିଲେ
-କୌଣସି ଉତର ନମିଳିବା ପରେ ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
-ଉଭୟଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରାଯାଇଛି

ଆଇଏମଏ ପତଞ୍ଜଳୀ ଉପରେ ବିଭ୍ରାନ୍ତିକର ବିଜ୍ଞାପନରେ ମିଛ ଦାବି କରୁଥିବା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ପିଟିସନରେ କୁହାଯାଇଥିଲା ଯେ ପତଞ୍ଜଳୀ ଔଷଧରେ ମାରାତ୍ମକ ରୋଗ ସମ୍ପୂର୍ଣ୍ଣ ଭଲ ହେଉଛି । ପ୍ରଥମ ଶୁଣାଣୀ କରି ନଭେମ୍ବର ୨୦୨୩ରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପରାମର୍ଶ ଲୋଡିଥିଲେ । ଗାଇଡଲାଇନ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସୁପ୍ରିମକୋର୍ଟ ପତଞ୍ଜଳୀକୁ ଅଭିଯୋଗ ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଉତର ନଦେବାପରେ ରାମଦେବ ଓ ବାଲକ୍ରିଷ୍ଣାଙ୍କ ନାଁରେ ଅବମାନନା ନୋଟିସ ଜାରି କରାଯାଇଛି ।