ଭ୍ଲାଦିମିର ପୁଟିନଙ୍କ ବିପୁଳ ବିଜୟ: ଲଗାତର ପଞ୍ଚମ ଥର ହେଲେ ରୁଷିଆ ରାଷ୍ଟ୍ରପତି

137

କନକ ବ୍ୟୁରୋ: ଭ୍ଲାଦିମିର ପୁଟିନ ପଂଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଛନ୍ତି । ନିକଟରେ ସରିଥିବା ନିର୍ବାଚନରେ ତାଙ୍କୁ ୮୮ପ୍ରତିଶତ ଭୋଟ୍ ମିଳିଛି । ଫଳରେ ସେ ଆଉ ୬ବର୍ଷ ପାଇଁ ଶାସନରେ ରହିବେ । ବଡ଼ କଥା ହେଉଛି ଗତ ୨୪ବର୍ଷରେ ପୁଟିନଙ୍କୁ ପରାସ୍ତା କରିବାରେ କେହି ସକ୍ଷମ ହୋଇନାହାନ୍ତି । ୟୁକ୍ରେନ ସହିତ ଯୁଦ୍ଧ, ନିର୍ବାଚନ ସମୟରେ ରୁଷିଆର ଆକ୍ରମଣ, ବିରୋଧୀଙ୍କ ବିକ୍ଷୋଭ ବିଭିନ୍ନ ଗୁରୁତର ଅଭିଯୋଗ, ଏହି ସବୁ ପୁଟିନଙ୍କ ବିଜୟ ଉପରେ କିଛି ପ୍ରଭାବ ପକାଇ ପାରିନାହିଁ ।

ଭ୍ଲାଦିମର ପୁଟିନ । ଦୀର୍ଘ ୨୪ବର୍ଷ ହେଲା ରୁଷିଆରେ ଶାସନ ଗାଦିରେ ବସିଛନ୍ତି । ଏବଂ ପୁଣି ଥରେ ନିର୍ବାଚନରେ ବିପୁଳ ଭାବେ ବିଜୟୀ ହୋଇଛନ୍ତି । ଆଉ ଏଥର ତାଙ୍କୁ ପାଖାପାଖି ୮୮ପ୍ରତିଶତ ଭୋଟ୍ ମିଳିଛି । ଗତ ୨୪ବର୍ଷ ଧରି ପୁଟିନଙ୍କୁ କେହି ପରାଜିତ କରିବାକୁ ସକ୍ଷମ ହୋଇନାହାନ୍ତି । ଏପରିକି ତାଙ୍କ ବିରୋଧରେ ମୁହଁ ଖୋଲୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିଛି । ମାର୍ଚ୍ଚ ୧୫ରୁ ୧୭ତାରିଖ ମଧ୍ୟରେ ଅନୁଷ୍ଠିତ ନିର୍ବାଚନରେ ୮୭.୮% ଭୋଟ୍ ପାଇ ପଂଚମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିନ ହୋଇଛନ୍ତି ଭ୍ଲାଦିମିର ପୁଟିନ ।

ୟୁକ୍ରେନ ସହିତ ଯୁଦ୍ଧକୁ ନେଇ ସାରା ବିଶ୍ୱରେ ପୁଟିନଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ତାଙ୍କ ଦେଶରେ ମଧ୍ୟ ପୁଟିନ ବିରୋଧୀ ସ୍ୱର ଉଠିଥିଲା । ଏହାସହ ନିର୍ବାଚନ ସମୟରେ ୟୁକ୍ରେନ ଉପରେ ରୁଷିଆର ଘନଘନ ଆକ୍ରମଣ, ବିରୋଧୀଙ୍କ ବିକ୍ଷୋଭ ବିଭିନ୍ନ ଗୁରୁତର ଅଭିଯୋଗ, ଏହି ସବୁ ପୁଟିନଙ୍କ ବିଜୟ ଉପରେ କିଛି ପ୍ରଭାବ ପକାଇ ପାରିନାହିଁ ।

ସୋଭିଏନ ରୁଷ ପରବର୍ତୀ ରୁଷର ଇତିହାସରେ ପୁଟିନ ସର୍ବାଧିକ ଭୋଟ୍ ପାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।
– ଭ୍ଲାଦିମର ପୁଟିନଙ୍କ ୮୭.୮% ଭୋଟ୍ ମିିଳିଛି
– ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ନିକୋଲେ ଖାରିତୋନୋଭ ମାତ୍ର ୪% ଭୋଟ୍ ପାଇଛନ୍ତି
– ଅନ୍ୟ ଦୁଇ ପ୍ରତିଦ୍ୱନ୍ଦ୍ୱୀ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି

ଫଳାଫଳ ଘୋଷଣା ପରେ ପୁଟିନ ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି । ପୁଟିନ କହିଛନ୍ତି, ରୁଷିଆ ଆଗକୁ ଆହୁରି ଶକ୍ତିଶାଳୀ ଓ ପ୍ରଭାବଶାଳୀ ରାଷ୍ଟ୍ରରେ ପରିଣତ ହେବ । ଏହାସହ ନାଟୋକୁ କଡ଼ା ସନ୍ଦେଶ ମଧ୍ୟ ଦେଇଛନ୍ତି ।

ରୁଷ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଦିମିର ପୁଟିନ ବିପୁଳ ବିଜୟ ହାସଲ ପରେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସତର୍କ ବାଣୀ ଶୁଣାଇଛନ୍ତି । ସେ କହିଛନ୍ତି ଯଦି ଗୋଟିଏ ପଟେ ରୁଷ ଓ ଅନ୍ୟପଟେ ଆମେରିକା ନେତୃତ୍ୱରେ ପରିଚାଳିତ ନାଟୋର ସାମରିକ ସେନା ମଧ୍ୟରେ ସିଧାସଳଖ ଯୁଦ୍ଧ ହୁଏ ତା’ହେଲେ ସାରା ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିବ ।

ନିର୍ବାଚନରେ ବିପୁଳ ବିଜୟ ପରେ ପୁଟିନ ତୃତୀୟ ବିଶ୍ୱଯୁଦ୍ଧ ନେଇ ଧମକ ଦେଇଛନ୍ତି । କହିଛନ୍ତି, ଯଦି ଆମେରିକା ନେତୃତ୍ୱାଧୀନ ସୈନ୍ୟ ସଙ୍ଗଠନ ନାଟୋ ଏବଂ ରୁଷ ମୁହାଁମୁହିଁ ହୁଅନ୍ତି ତେବେ ତୃତୀୟ ବିଶ୍ୱଯୁଦ୍ଧ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିବ । ଆଧୁନିକ ବିଶ୍ୱରେ ସବୁକିଛି ସମ୍ଭବ ହୋଇପାରିବ । ଏକଥା ସମସ୍ତ ଭଲଭାବେ ଜାଣନ୍ତି । କିନ୍ତୁ ଏଭଳି ହେଉ ବୋଲି କେହିଁ ଚାହିଁବେ ନାହିଁ ବୋଲି ମୁଁ ଭାବୁଛି । ନାଟୋ ସାମରିକ କମାଣ୍ଡର ମାନେ ଏବେବି ୟୁକ୍ରେନରେ ଅଛନ୍ତି । ସେମାନେ ସିଧାସଳଖ ଯୁଦ୍ଧରେ ସାମିଲ ହୋଇନାହାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ମୃତାହତ ହୋଇଛନ୍ତି ।

ଗତମାସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଥିଲେ ଯେ ଭବିଷ୍ୟତରେ ୟୁକ୍ରେନରେ ପଦାତିକ ବାହୀନି ମୁତୟନ ସମ୍ଭାବନାକୁ ଏଡ଼ାଇ ଦେଇପାରିବେ ନାହିଁ । ଏହାର ସମ୍ଭାବ୍ୟ ବିପଦ କ’ଣ ରହିବ ବୋଲି ପଚରାଯିବାରୁ ପୁଟିନ କହିଛନ୍ତି, ଆଧୁନିକ ବିଶ୍ୱରେ ସବୁକିଛି ସମ୍ଭବ । ୧୯୬୨ କ୍ୟୁବା ମିଜାଇଲ ସଙ୍କଟ ପରଠାରୁ ପାଶ୍ଚାତ୍ୟ ଦେଶ ଗୁଡ଼ିକ ସହିତ ରୁଷିଆର ସମ୍ପର୍କ ଏବେ ସବୁଠାରୁ ଖରାପ ସ୍ଥିତିରେ ଅଛି । ସେପଟେ ୟୁକ୍ରେନରେ ପରମାଣୁ ଯୁଦ୍ଧାସ୍ତ୍ରର ବ୍ୟବହାର ଆବଶ୍ୟକତା କେବେ ମୁଁ ଅନୁଭବ କରିନାହିଁ । ତେବେ ଚଳିତ ମାସ ପ୍ରାରମ୍ଭରେ ପୁଟିନ କହିଥିଲେ, ଯଦି ରୁଷର ସାର୍ବଭୌମତ୍ୱ ଓ ସ୍ୱାଧୀନତା ପ୍ରତି ବିପଦ ଦେଖାଦିଏ ତା’ହେଲେ ପରମାଣୁ ଯୁଦ୍ଧାସ୍ତ୍ର ବ୍ୟବହାର କରିବା ନେଇ ଆମେ ପ୍ରସ୍ତୁତ ଅଛୁ ।

ପୁଟିନ ଓ ରୁଷିଆର ଶାସନ ବ୍ୟବସ୍ଥାକୁ ବିଶ୍ୱର ଅଧିକାଂଶ ଦେଶ ଓ ଗଣତନ୍ତ୍ର ସପକ୍ଷବାଦୀ ଭିନ୍ନ ଦୃଷ୍ଟିରେ ଦେଖନ୍ତି । ସେମାନଙ୍କ ବିଚାରରେ ପୁଟିନ ଜଣେ ଏକଛତ୍ରବାଦ ଓ ସେ ଏକଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଚଳାଇ ନିଜର ପୁରୁଣା କମ୍ୟୁନିଷ୍ଟ ଢାଂଚାରେ ରୁଷିଆକୁ ଶାସନ କରୁଛନ୍ତି । ତେବେ ରୁଷିଆର ଉଗ୍ର ଜାତୀୟତାବାଦୀଙ୍କ ପାଇଁ ପୁଟିନ ଜଣେ ମହାନାୟକ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରର ଉପଯୁକ୍ତ ମୁକାବିଲା କରି ରୁଷିଆର ଗୌରବ ଫେରାଇ ଆଣିବାରେ ସେ ଏକମାତ୍ର ଯୋଗ୍ୟବ୍ୟକ୍ତି । ନିର୍ବାଚିତ ହେବା ପରେ ପୁଟିନ କହିଛନ୍ତି ଯେ, ୟୁକ୍ରେନ ବିରୋଧରେ ଚାଲିଥିବା ବର୍ଷ ବ୍ୟାପି ଲମ୍ବା ଲଢ଼େଇର ଅବସାନ ପାଇଁ ଏବେ ନିର୍ଣ୍ଣାୟକ ନିଷ୍ପତ୍ତି ନେବେ ଏବଂ ୟୁକ୍ରେନ, ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହାୟତାରେ ଯେଉଁ ଲଢ଼େଇ ଲଢ଼ୁଛି, ତାହାର ଅବସାନ ଘଟାଇବେ । ତେଣୁ ଏଡି ଯୁଦ୍ଧ ଆହୁରି ଭୟଙ୍କର ରୂପ ନେବା ସ୍ୱାଭାବିକ । ଯୁଦ୍ଧର ଘନଘଟା ବଢ଼ିଲେ ସମଗ୍ର ବିଶ୍ୱ ଉପରେ ଏହାର କୁପ୍ରଭାବ ବଢ଼ିବା ପ୍ରାୟ ନିଶ୍ଚିତ ।

ତେବେ ରୁଷିଆ ନିର୍ବାଚନରେ ଠକେଇ ଅଭିଯୋଗ କିଛି ନୂଆ କଥା ନୁହେଁ । କିନ୍ତୁ ଏଥର ପୁଟିନ ପ୍ରଶାସନ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆସୁଛି । ରୁଷିଆର ମୁଖ୍ୟ ବିରୋଧୀ ଦଳର ନେତା ଆଲେକ୍ସୀ ନାଭାଲନିଙ୍କ ଘନିଷ୍ଠ ସହଯୋଗୀ ବର୍ତମାନ ନିର୍ବାଚନ ଫଳାଫଳକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଭ୍ଲାଦିମିର ପୁଟିନଙ୍କୁ ୭୧ବର୍ଷ ବୟସ । ଏହି ବିଜୟ ସହିତ ସେ ୨୦୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ । ଦେଶର ୨ଶହ ବର୍ଷର ଇତିହାସରେ ସେ ସର୍ବାଧିକ କାଳ କ୍ଷମତାରେ ରହି ଯୋଶେଫ ଷ୍ଟାଲିନଙ୍କ ରେକର୍ଡ ଭଙ୍ଗ କରିବେ । ପାଶ୍ଚାତ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରମାନେ ଏହି ନିର୍ବାଚନ ଅବାଧ ଓ ନିରପେକ୍ଷ ନୁହେଁ ବୋଲି କହୁଛନ୍ତି । ଆହୁରି ମଧ୍ୟ ବିରୋଧୀ ଦଳର ତୁଙ୍ଗ ନେତାମାନଙ୍କୁ ଜେଲରେ ରଖି ଓ ଗୁପ୍ତରେ ହତ୍ୟା କରି ପୁଟିନ ଦେଶରେ ଏକଛତ୍ରବାଦ ଶାସନ ଚଳାଇଥିବା ଅଭିଯୋଗ ଉଠୁଛି ।