ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ,୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

376

କନକ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ଆଜି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଭୁବନେଶ୍ୱରରେ ଆଜି ଦିନ ୧୨ଟାରୁ ୪ଟା ଯାଏଁ ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଥିଲା । ଖରାଦିନେ ଏଭଳି ବର୍ଷା ବର୍ଷାଦିନର ଭ୍ରମ ସୃଷ୍ଟି କରିଥିଲା । କଟକ, କେନ୍ଦ୍ରାପଡା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଳ୍ପବହୁତେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ନୂଆପଡାରେ ବିଜୁଳି ମାଡରେ ଜଣେ ମହିଳାଙ୍କ ମୃତ୍ୟୁ ବି ହୋଇଛି ।

  • ବୁଧବାର ବି ବର୍ଷିବ
  • ପ୍ରବଳ ବର୍ଷା ସହ ବଜ୍ରପାତ ଚେତାବନୀ

ମଙ୍ଗଳବାର ଭଳି ବୁଧବାର ବି ଘଡଘଡି ସହ ବିଜୁଳି ଓ ବର୍ଷାର ଚେତାବନୀ ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଜ୍ରପାତ ସମ୍ଭାବନା ଥିବା ଜିଲ୍ଲାଗୁଡିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା, ବାଲେଶ୍ୱର, ଭଦ୍ରକ. ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ ଓ ପୁରୀ । ସେହିଭଳି ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଲା, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଓ ନୟାଗଡ । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଚେତାବନୀ ବି ଦିଆଯାଇଛି । ସେହିଭଳି କୋରାପୁଟ, ମାଲକାନଗିରି, ରାୟଗଡା, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାଗୁଡିକରେ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

  • ବର୍ଷା ଆଣିଦେଲା ଦୁଃଖ
  • ଉଜୁଡିଗଲା ଚାଷ, ଚିନ୍ତାରେ ଚାଷୀ

କାଳବୈଶାଖୀ ବର୍ଷା ପ୍ରଭାବ ଚାଷ ଉପରେ ପଡିଛି । ଜମି ହୁଡାରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । କାଳବୈଶାଖୀ ପ୍ରଭାବରେ ହସୁଥିବା ଫସଲ ଏବେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଯାଇଥିବା ପନିପରିବା ହାତରେ ଧରି ଦେଖୁଛି ସିନା ହେଲେ ମନକୁ ବୁଝାଇ ପାରୁନି ଚାଷୀ । ଏଭଳି ପରିସ୍ଥିତି ଉପୁଜିଛି କୁଚିଣ୍ଡାରେ । କୁଚିଣ୍ଡାର ଗୋଛରା ଗାଁରେ ଅନେର ଘର ବି ଭାଙ୍ଗିଯାଇଛି । ସେହିଭଳି କଟକ ନିଶ୍ଚିନ୍ତକୋଇଲି ବ୍ଲକରେ ରବିଚାଷ ଓ ପରିବା ଚାଷ ନଷ୍ଟ ହୋଇଛି । ଏବେ ବୁଧବାର ବି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଆତଙ୍କିତ ହୋଇପଡିଛନ୍ତି ଚାଷୀ ।