ପାକିସ୍ତାନ ଉପରେ ତାଲିବାନର ଆକ୍ରମଣ । ପାକିସ୍ତାନ ସେନା ଓ ଟିଟିପି ଭିତରେ ସଂଘର୍ଷ

383

କନକ ବ୍ୟୁରୋ : ଗୁଳି,ମୋର୍ଟାର ମାଡ଼, ବୋମା ବିସ୍ଫୋରଣରେ ଥରୁଛି ପାକିସ୍ତାନ-ଆଫଗାନର ତୋରଖମ ସୀମା ଟର୍ମିନାଲ । ପାକିସ୍ତାନ ସେନା ଓ ଟିଟିପି ଭିତରେ ଚାଲିଛି ଘମାଘୋଟ ଯୁଦ୍ଧ । ଉଭୟ ପଟୁ ଗୁଳି ଓ ବୋମାମାଡ଼ରେ ଥରୁଛି ସୀମା । ମିଳିଥିବା ସୂଚନା ଅନୁସାରେ ତାଲିବାନର ଆକ୍ରମଣରେ ୪ଜଣ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ହୋଇଛି । ଏଥିସହ କିଛି ସେନାକୁ ତାଲିବାନ ବନ୍ଧକ ବନାଇ ରଖିଥିବା ମଧ୍ୟ ଜଣାପଡିଛି । ସ୍ଥିତି ସଂଗୀନ ହେଉଥିବାରୁ ତୋରଖମ ସୀମାକୁ ସିଲ କରାଯାଇଛି । ଖୈବର ପଖତୁନଖ୍ୱାବ ପ୍ରାନ୍ତର ଚିତ୍ରାଳେ ଜିଲ୍ଲାରେ ଦୁଇ ଦିନ ହେବ ଟିଟିପି ଜୋରଦାର ଆକ୍ରମଣ କରିଛି । କେବଳ ସେତିକି ନୁହେଁ ପାକିସ୍ତାନର କିଛି ଗାଁକୁ ମଧ୍ୟ କବଜା କରିଛି ତାଲିବାନ ।

୨୦୨୨ ମସିହାଠାରୁ ଟିଟିପି ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ପାକିସ୍ତାନ ସରକାର ଓ ଗୁଇନ୍ଦାକୁ ମୁଖ୍ୟ ଶତ୍ରୁ ମଣୁଛି ତାଲିବାନ । କଳେବଳେ କୌଶଳେ ସରିଆ ନିୟମରେ ପାକିସ୍ତାନରେ ସରକାର ଗଠନ କରିବାକୁ ଚାହୁଁଛି ତାଲିବାନ । ନିଜ ଲକ୍ଷ୍ୟକୁ ପୂରା କରିବାକୁ ଗତ କିଛି ମାସ ହେବ ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଆକ୍ରମଣ କରୁଛି ତାଲିବାନ ।

ତିକ୍ତତାର କାରଣ କ’ଣ?
ଦୀର୍ଘବର୍ଷ ହେବ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ଜାରି ରହିଛି । ଟୁରୋଣ୍ଡୋ ସୀମା ଉପରେ ଦୁଇ ଦେଶ ନିଜ ନିଜର ଦାବି ଜଣାଇ ଆସୁଛନ୍ତି । ଆଫଗାନିସ୍ତାନର ପୂର୍ବ ସରକାର ପାକିସ୍ତାନକୁ ବିରୋଧ କରୁଥିଲେ । ଆଫଗାନକୁ କବଜା କରିଥିବା ତାଲିବାନ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରୁଛି ତାଲିବାନ ଦିନକୁ ଦିନ ରକ୍ତମୁଖା ହେବା ସହ ପାକିସ୍ତାନ ଉପରେ ଘମାଘୋଟ ଆକ୍ରମଣ କରୁଛି । ସୂଚନା ଅନୁସାରେ ୧ବର୍ଷ ଭିତରେ ପାକିସ୍ତାନ ଉପରେ ତାଲିବାନ ପ୍ରାୟ ଶହେରୁ ଅଧିକ ଥର ଆକ୍ରମଣ କରିସାରିଛି ।

ଗୋଟେ ପଟେ ତାଲିବାକୁ ପାକିସ୍ତାନ ଉପରେ ଆକ୍ରମଣ କରୁଥିବା କହି ଭିଡିଓ ଓ ବୟାନ ଜାରି କରୁଛି ଅନ୍ୟପଟେ ପାକିସ୍ତାନ ସରକାର ଏହାକୁ ମାନିବାକୁ ନାରାଜ । ଏବେ ପ୍ରଶ୍ନ ଉଠୁଛି ପାକିସ୍ତାନ ସରକାରର ଦୂରାବସ୍ଥା ଭିତରେ ଆଗକୁ ତାଲିବାନ ସଙ୍କଟକୁ କିଭଳି ମୁକାବିଲା କରିବ ଦେଶ ।