କଂଗ୍ରେସ ଭବନରେ ପୁଲିସ ପଶି ପିଟିବା ଘଟଣାରେ ଏକାଠି ହେଲେ ନେତା । ୧୪ରେ ଏସପି ଅଫିସ ଘେରିବାକୁ କଂଗ୍ରେସ ଦେଲା ଚେତାବନୀ

183

କନକ ବ୍ୟୁରୋ: ଶୁକ୍ରବାର ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ କର୍ମୀ ଓ ପୋଲିସ । ଘଟଣା ଉଗ୍ର ରୂପ ଧାରଣ କରିବାରୁ ପୋଲିସ କରିଥିଲା ଲାଠିଚାର୍ଜ । ଲୋୟର ପିଏମଜି ଠାରୁ ମାଷ୍ଟର କ୍ୟାଂଟିନ ପର୍ଯ୍ୟନ୍ତ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ସୁରକ୍ଷା ବଳ । ଏହି ସମୟରେ କିଛି କର୍ମୀ ପ୍ରାଣ ବିକଳରେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟ ଭିତରକୁ ପଶିଯାଇଥିଲେ ମଧ୍ୟ କଂଗ୍ରେସ ଭବନ ଭିତରେ ପଶି ମାଡ ମାରିଥିଲା ପୋଲିସ । ତେବେ ଜାତୀୟ ରାଜନୈତିକ ଦଳର କାର୍ଯ୍ୟାଳୟ ଭିତରେ ପଶି ଆକ୍ରମଣକୁ ନେଇ ପୋଲିସକୁ ଘେରିଛନ୍ତି କଂଗ୍ରେସ ନେତା ।

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆସନ୍ତା ୧୪ ତାରିଖରେ ସମସ୍ତ ଜିଲ୍ଲାର ଏସପି ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଦାବି କରିଛି ରାଜ୍ୟ କଂଗ୍ରେସ । ମମିତା ହତ୍ୟା ମାମଲାରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ ବୋଲି କହିଛନ୍ତି କଂଗ୍ରେସ ନେତା ଓ କର୍ମୀ । ହେଲେ ପୋଲିସ ଢେଲା ମାଡର କଥା କହୁଛି । ଆଉ ସ୍ଥିତି ଏପରି ହୋଇଥିଲା ଯେ ରଣକ୍ଷେତ୍ର ପାଲଟିଯାଇଥିଲା ଲୋୟର ପିଏମଜି ।

ଯଦି କଂଗ୍ରେସ କର୍ମୀ ଟେକା ମାଡ କରିଥିବା ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ ତାରା ବାହିନୀପତି । ଏପଟେ କଂଗ୍ରେସ କର୍ମୀ କରିଥିବା ବିଶୃଙ୍ଖଳା ଓ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଆରମ୍ଭ ହୋଇଛି ତର୍ଜମା ।