ବିବାଦରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା । ପ୍ରତିବାଦ ପରେ ବଦଳିଲା ୱେବ ସିରିଜ ପୋଷ୍ଟର ।

509

କନକ ବ୍ୟୁରୋ : ବିବାଦରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା । ଗ୍ୟାଙ୍ଗସ ଅଫ୍ ପୁରୀର ପୋଷ୍ଟରକୁ ନେଇ ଆପତ୍ତି ଅଭିଯୋଗ ଉଠିଛି । ପୁରୀ ଏସପିଙ୍କ ନିକଟରେ ଫେରାଦ ହୋଇ କଡ଼ା କାର୍ଯ୍ୟାନୁଷ୍ଠାନର ଦାବି କରିଛି ଅଧିବକ୍ତା ସଂଘ । ଆଉ ଏହାପରେ ବଦଳି ଯାଇଛି ୱେବସିରିଜର ପୋଷ୍ଟର ।

‘କଂଚା ଲଙ୍କା’ର ପୋଷ୍ଟରକୁ ନେଇ ବିବାଦ । ପ୍ରତିବାଦ ପରେ ବଦଳିଲା ୱେବ ସିରିଜ ପୋଷ୍ଟର । ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ନିଜ ନୂଆ ୱେବ ସିରିଜ ପୋଷ୍ଟରକୁ ନେଇ ବିବାଦରେ ଛନ୍ଦି ହୋଇଛି । ବିବାଦର କାରଣ ସାଜିଛି ଗ୍ୟାଙ୍ଗସ ଅଫ ପୁରୀ ୱେବ ସିରିଜର ଏହି ପୋଷ୍ଟର । ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ ହେବା ପରେ କଡା ଆପତି ଜାହିର କରିଛି ପୁରୀ ଜିଲ୍ଲା ଅଧିବକ୍ତା ସଂଘ । ପୋଷ୍ଟରରେ ଶ୍ରୀମନ୍ଦିର ଉପରେ ଖଣ୍ଡା ଝୁଲୁଥିବାରୁ ଏହା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି । ଏହି ୱେବ ସିରିଜ ପୁରୀର ଯୁବପୀଢିଙ୍କୁ ଅପରାଧିକ କାର୍ଯ୍ୟକଳାପ ପାଇଁ ପ୍ରବର୍ତ୍ତାଉ ଥିବା ଅଭିଯୋଗ ଆଣି ପୁରୀ ଏସପିଙ୍କୁ ଭେଟି କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଗ୍ୟାଙ୍ଗସ ଅଫ ପୁରୀର ପୋଷ୍ଟରକୁ ନେଇ ବିବାଦ ତେଜିବା ପରେ କଞ୍ଚାଲଙ୍କା ପ୍ରଡକସନ ପକ୍ଷରୁ ପୋଷ୍ଟରରୁ ଶ୍ରୀମନ୍ଦିରକୁ ହଟାଇ ଦିଆଯାଇଛି । କଞ୍ଚାଲଙ୍କା ପ୍ରଡକସନର ପ୍ରତିଷ୍ଠାତା ଅକ୍ଷୟ ପରିଜା କହିଛନ୍ତି, ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀକୁ ନେଇ ଗ୍ୟାଙ୍ଗସ ଅଫ ପୁରୀ ସିରିଜ ପ୍ରସ୍ତୁତ ହୋଇଛି । ଧାର୍ମିକ ଭାବନା ସହ ଏହା କୌଣସି ମତେ ଜଡିତ ନୁହେଁ ।

ତେବେ ପୋଷ୍ଟରକୁ ନେଇ ଓଟିଟି ପ୍ଲାଟଫର୍ମ ବିବାଦ ଘେରକୁ ଆସିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ମେନ ଫର ସେଲ ନାଁରେ ଆସିଥିବା ୱେବ ସିରିଜ ପୋଷ୍ଟରକୁ ବିରୋଧ କରିଥିଲା କଳିଙ୍ଗ ସେନା । ପ୍ରତିବାଦ ହେବା ପରେ ସିରିଜର ପୋଷ୍ଟରକୁ ପରିବର୍ତ୍ତନ କରାଯାଇଥିଲା ।