ବାଙ୍ଗଲାଦେଶ ସାଂସଦଙ୍କ ଲୋମହର୍ଷଣକାରୀ ହତ୍ୟା । ସୁପାରୀ ଲିଙ୍କ ପରେ ମିଳିଲା ହନିଟ୍ରାପ କନେକ୍ସନ

245

କନକ ବ୍ୟୁରୋ : ବାଙ୍ଗଲାଦେଶ ସାଂସଦ ଅନୱାରୁଲ ଅଜିମଙ୍କ ହତ୍ୟାକାଣ୍ଡକୁ ନେଇ ନୂଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ତଦନ୍ତ କରୁଥିବା ସିଆଡି ଟିମ୍ ଅଜିମ୍ଙ୍କ ହତ୍ୟାକାଣ୍ଡକୁ ନେଇ ସାଂଘାତିକ୍ ତଥ୍ୟ ଦେଇଛନ୍ତି । ଜଣା ପଡିଛି, ଆମେରିକାରେ ରହୁଥିବା ସାଂସଦଙ୍କ ପିଲା ଦିନର ବନ୍ଧୁ ହିଁ ତାଙ୍କୁ ହତ୍ୟା କରିବା ପାଇଁ ଦେଇଥିଲେ ୫ କୋଟିର ସୁପାରୀ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗୁରୁବାର ଗିରଫ କରିବା ପରେ ସାମ୍ନାକୁ ଆସିଛି ସାଂସଦଙ୍କ ହତ୍ୟାର ଲୋମଟାଙ୍କୁରା କାହାଣୀ । ଜେରାବେଳେ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିବା ସହ, କିଭଳ ହତ୍ୟା କରିଥିଲା ତାହା ବଖାଣିଛି । ସୂଚନା ଅନୁସାରେ,

ହତ୍ୟାକାଣ୍ଡର ଲୋମଟାଙ୍କୁରା କାହାଣୀ
– ଦୃର୍ବୃତ୍ତମାନେ ସାଂସଦ ଅନୱାରୁଲ ଅଜିମଙ୍କୁ କୋଲକାତାର ଏକ ଆପାର୍ଟମେଂଟରେ ହତ୍ୟା କରିଥିଲେ
– କୋଲକତା ନ୍ୟୁ-ଟାଉନ ସ୍ଥିତ ଫ୍ଲାଟ୍ରେ ୪ ବାଙ୍ଗଲାଦେଶୀ ସାଂସଦଙ୍କୁ ପ୍ରଥମେ ତଂଟି ଚିପି ହତ୍ୟା କରିଥିଲେ
– ପରେ ତାଙ୍କ ଶରୀରରୁ ଚମଡା ଅଲଗା କରିଥିଲେ
– ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ହାଡ ଓ ମାଂସକୁ ଛୋଟ ଛୋଟ ଖଣ୍ଡ କରିଥିଲେ
– ଶରୀରକୁ ନଷ୍ଟ କରିବାକୁ ଛୋଟ ଛୋଟ ମାଂସ ଓ ହାଡରେ ହଳଦୀ ଗୁଣ୍ଡ ପକାଇ ପ୍ଲାଷ୍ଟିକ ବ୍ୟାଗ୍ରେ ଭର୍ତି କରି ବିଭିନ୍ନ ସ୍ଥାନରେ ଫୋପାଡିଥିଲେ
– ଆପାର୍ଟମେଂଟର ବାଥରୁମରେ କରାଯାଇଥିଲା ଏଭଳି ଜଘନ୍ୟ କାଣ୍ଡ
– ପୋଲିସ ହାତରେ ଧରାନପଡ଼ିବା ପାଇଁ ବାଥରୁମରେ ଏସିଡ୍ ପକାଇ ସଫା କରିଥିଲେ

ସେପଟେ, ହତ୍ୟାକାଣ୍ଡ ପଛରେ ଜଣେ ଯୁବତୀର ହାତ ଥିବା କୁହାଯାଉଛି । ଜଣେ ଯୁବତୀଙ୍କୁ ଲଗାଇ ସାଂସଦ ଅନୱାରୁଲ ଅଜିମ୍ଙ୍କୁ ବାଙ୍ଗଲାଦେଶରୁ କୋଲକତା ଡକାଯାଇଥିଲା । ପୋଲିସ ସୂଚନା ଅନୁସାରେ, ଗତ ମେ ୧୧ ତାରିଖରେ ଅନୱାରୁଲ ଅଜିମ ଜଣେ ମହିଳାଙ୍କ ସହ ଆପାର୍ଟମେଂଟ ଯାଇଥିଲେ । ଇଏ ହେଉଛନ୍ତି ସେହି ଯୁବତୀ । ଯାହାକୁ ଅଟକ ରଖି ଜେରା କରୁଛି ସିଆଇଡି ଟିମ୍ । ଏହି ଯୁବତୀଙ୍କ ସହ ଶେଷ ଥର ଅନୱାରୁଲଙ୍କୁ ଦେଖିବାକୁ ମିଳିଥିଲା ।

ମେ ୧୩ ତାରିଖରେ ଅନୱାରୁଲ ଅଜିମଙ୍କୁ ହତ୍ୟା କରାଯାଇଥିବାବେଳେ ବର୍ତମାନ ସୁଦ୍ଧା ତାଙ୍କ ମୃତଦେହର କୌଣସି ଖଣ୍ଡ ତଦନ୍ତକାରୀ ଟିମ୍ ହାତେର ଲାଗି ନାହିଁ । ଯେଉଁ ପର୍ଯ୍ୟନ୍ତ ମୃତଦେହ ନ ମିଳିବ, ସେ ପର୍ଯ୍ୟନ୍ତ ହତ୍ୟାକାଣ୍ଡକୁ ପ୍ରମାଣିତ କରିବା କଷ୍ଟକର ହୋଇଯିବ । ସେପଟେ ବାଙ୍ଗଲାଦେଶ ପୋଲିସ ମଧ୍ୟ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଢାକାରେ ଗିରଫ କରିଛି ।