ଅଧପନ୍ତରିଆ ଭାବେ କାହିଁକି ବନ୍ଦ ହେଲା ବିଧାନସଭା । ରାଜ୍ୟପାଳଙ୍କୁ ଫେରାଦ ହୋଇ ଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିଲା ବିଜେପି

102

କନକ ବ୍ୟୁରୋ: ବିଧାନସଭା ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦ ହୋଇଥିବା ବେଳେ ଏହାକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ରାଜ୍ୟପାଳଙ୍କୁ ୪ ଦଫା ଦାବି ଜଣାଇଛି ବିଜେପି ବିଧାୟକ ଦଳ । ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଇନାହିଁ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇ ରଖୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହି ସବୁ ପ୍ରସଙ୍ଗରେ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ଅଧିଆ ପଡିଛନ୍ତି ବିଜେପି ନେତା ।

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା, ନୂଆ ଆଇନ ପ୍ରଣୟନ, ପୁରୁଣା ଆଇନର ସଂଶୋଧନ ସବୁ କିଛି ହୁଏ ବିଧାନସଭାରେ । ରାଜ୍ୟର ବିକାଶ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏହା ହେଉଛି ସବୁଠୁ ବଡ଼ କ୍ଷେତ୍ର । ତେଣୁ ବିଧାନସଭାର ଗୋଟିଏ ଗୋଟିଏ ମିନିଟ୍ ମୂଲ୍ୟବାନ ବୋଲି କୁହାଯାଏ । ହେଲେ ବିଧାନସଭାର ହଟ୍ଟଗୋଳ ଦୃଶ୍ୟକୁ ଦେଖିଲେ ଲାଗୁଛି, ବିଧାନସଭାର ମୂଳ ଉଦ୍ଦେଶ୍ୟକୁ ଭୁଲି ଯାଇଛନ୍ତି ଜନ ପ୍ରତିନିଧି । ହଟ୍ଟଗୋଳ, ହୋହଲ୍ଲା, ନାରାବାଜିରେ କମ୍ପୁଛି ଗୃହ । ଠିକ ଭାବେ ଗୋଟିଏ ମିନିଟ ବିଧାନସଭା ଚାଲିବା ମଧ୍ୟ ମୁସ୍କିଲ ହୋଇପଡୁଛି ।

ଏଥର ଶୀତ ଅଧିବେଶନ ମାତ୍ର ୧୦ ଦିନ ଚାଲିଛି । ଏହି ସମୟ ମଧ୍ୟରେ ୨ ଘଣ୍ଟା ବି ଭଲ ଭାବେ ଚାଲି ପାରିନି ଗୃହ । ଯାହା ଫଳରେ ଆହୁରି ୧୭ଟି କାର୍ଯ୍ୟଦିବସ ବାକି ଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତେବେ ବିରୋଧୀ ଦଳ, ଶାସକ ଦଳକୁ ଏଥିପାଇଁ ଦାୟୀ କରୁଛି । ଆଉ ଶାସକ ଦଳ, ବିରୋଧୀଙ୍କୁ ଦୋଷ ଦେଉଛି । ଏହାରି ଭିତରେ ପେଷି ହୋଇଯାଉଛି ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ରାଜ୍ୟର ବିକାଶ ।

କେବଳ ଶୀତ ଅଧିବେଶନ ନୁହେଁ, ଷୋଡ଼ଶ ବିଧାନସଭାର ୮ଟି ଯାକ ଅଧିବେଶନରେ ଉଣା ଅଧିକେ ଏକା ସ୍ଥିତି ଦେଖିବାକୁ ମିଳିଛି । ୨୦୧୯ରୁ ୨୦୨୧ ମଧ୍ୟରେ ଏପର୍ଯ୍ୟନ୍ତ ୮ଟି ଅଧିବେଶନ ଚାଲିଛି । କୌଣସି ଅଧିବେଶନ ସଂପୂର୍ଣ୍ଣ ଭାବେ ଚାଲି ପାରିନାହିଁ । ମୋଟ ୨୧୦ ଦିନରୁ ମାତ୍ର ୧୧୨ ଦିନ ବସିଛି ଗୃହ । ଅର୍ଥାତ ପାଖାପାଖି ଅଧାଦିନ ଗୃହ ଚାଲିନାହିଁ । ପ୍ରତ୍ୟେକ ଅଧିବେଶନ ପୂର୍ବରୁ ବିଧାୟକ ଦଳ ବୈଠକ ବସେ । କେଉଁ ପ୍ରସଙ୍ଗରେ ଆଲୋଚନା ହେବ, ଏ ନେଇ ନିଷ୍ପତି ନିଆଯାଏ । ହେଲେ ଏହାର ପ୍ରତିଫଳନ ପ୍ରାୟ ଦେଖିବାକୁ ମିଳେନି । ଏଥର କୋଭିଡ ମୁକାବିଲା, ଚାଷୀ ଓ ଚାଷ ପ୍ରସଙ୍ଗ, ବେକାରୀ, ଦରଦାମ ବୃଦ୍ଧି ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାରେ ଥିଲା ହେଲେ ଏଥିପ୍ରତି ଆଖିବୁଜି ଦେଇଛନ୍ତି ବିରୋଧୀ ଓ ଶାସକ ଦଳ ।