ରାତି ପାହିଲେ ତୃତୀୟ ପର୍ଯ୍ୟାୟ ମତଦାନ । ବିଭିନ୍ନ ସ୍ଥାନରୁ ଆସିଲା ଭୋଟ ପାଇଁ ନୋଟ୍ ବଣ୍ଟାର ଭିଡିଓ, ପୁଳା ପୁଳା ଟଙ୍କା ଧରି ବୁଲୁଛନ୍ତି ପ୍ରାର୍ଥୀଙ୍କ ସମର୍ଥକ

254

କନକ ବ୍ୟୁରୋ : ଆଉ କେଇ ଘଂଟା ପରେ ପଡ଼ିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ମତଦାନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଟଙ୍କା ବଂଟାର ଭିଡିଓ । ଆମେ ବର୍ତମାନ ଆପଣଙ୍କ ସାମ୍ନାରେ ତିନୋଟି ଦୃଶ୍ୟ ରଖିବାକୁ ଯାଉଛି । ଗୋଟିଏ ପଟେ ଘଷିପୁରା ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ଟେବୁଲ ଉପରେ ରଖାଯାଇଛି ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ । ଟଙ୍କା ସହ ପୋଷ୍ଟର ଜବତ ହୋଇଛି । ଘଟଣାରେ ବିଜେଡି ନେତା ପ୍ରଦୀପ କୁମାର ସାହୁ ଓରଫ ଟୁଲୁ ସାହୁଙ୍କୁ ରାମଚନ୍ଦ୍ର ପୋଲିସ ଅଟକ ରଖିଥିଲା । ତାଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି । ପ୍ରାୟ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ତେବେ ଟଙ୍କା ବାବଦରେ ପଚାରଉଚରା ପରେ ପୁଲିସ ଛାଡି ଦେଇଥିବା ଜଣାପଡିଛି । ସେହିପରି କଟକରୁ ମଧ୍ୟ ଟଙ୍କା ବଂଟାର ଦୃଶ୍ୟ ସାମ୍ନାକୁ ଆସିଛି । କଟକ ତୁଳସୀପୁର ବଙ୍ଗାଳୀ ସାହିର ଜଣେ ମିଶନ ଶକ୍ତି ଗ୍ରୁପ୍ ମହିଳା ଓ କିଛି ସହଯୋଗୀ ଟଙ୍କା ବାଂଟିବାର ଭିଡିଓ ଭାଇରାଲ ହୋଇଛି । ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହି ଟଙ୍କା ବାଂଟୁଛନ୍ତି ମହିଳା । ସେପଟେ ଭୋଟ ପୂର୍ବରୁ ଅନ୍ଧାରିବିଜେ । ତୃତୀୟ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଟଙ୍କା ବାଂଟି ଧରାପଡିଲେ ମିଶନ ଶକ୍ତି ମହିଳା । ପୁରୀ କଣାସ ବ୍ଲକ ପାଣ୍ଡିଆକେରା ଗ୍ରାମପଂଚାୟତ ଘରଛୁଆରେ ପଇସା ବାଂଟିବା ସମୟରେ ମିଶନ ଶକ୍ତି ମହିଳା ଜଣକ ଧରାପଡିଛନ୍ତି । କାଗଜ ପ୍ୟାକେଟରେ ଟଙ୍କା ଭର୍ତି କରି ବାଂଟୁଥିବା ବେଳେ ଗ୍ରାମବାସୀ ମହିଳାଙ୍କୁ ଅଟକ ରଖିବା ସହ ଟଙ୍କା ପ୍ୟାକେଟକୁ ଜବତ କରିଛନ୍ତି ।