ସଂକ୍ରମଣ ବଢୁଥିବାରୁ ନୂଆବର୍ଷ ପୂର୍ବରୁ ବଢୁଛି କଟକଣା : ୮ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଜାରି ହୋଇଛି ଅନ୍ୟ କେତେକ କଟକଣା

93

କନକ ବ୍ୟୁରୋ : ଦେଶରେ ଓମିକ୍ରନ୍‌ ସଂକ୍ରମଣ ଲଗାତାର ବଢ଼ି ଚାଲିଥିବାରୁ ରାଜ୍ୟ ସରକାରମାନେ କଟକଣା ବଢ଼ାଇଛନ୍ତି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଆସାମ, ମଧ୍ୟପ୍ରଦେଶ ସମେତ ୮ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଅନ୍ୟ କଟକଣା ମଧ୍ୟ ଜାରି ହୋଇଛି ।

ରାଜଧାନୀ ଦିଲ୍ଲୀରେ ଆଜିଠାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ପ୍ରତିଦିନ କୋଭିଡ୍ ସଂକ୍ରମଣ ବଢୁଥିବାରୁ ସରକାର ଏପରି ନିଷ୍ପତି ନେଇଛନ୍ତି । ଗତକାଲି ଦିଲ୍ଲୀରେ ନୂଆ ୨୯୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗୋଟିଏ ଦିନରେ ଦିଲ୍ଲୀରେ ୧୬ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ଦିଲ୍ଲୀରେ ସକାଳ ୮ ଟାରୁ ରାତି ୧୧ ଟା ଯାଏ ୫୦ ପ୍ରତିଶତ କ୍ଷମତାରେ ରେଷ୍ଟୁରାଂଟ ଖୋଲିବାକୁ ଅନୁମତି ଦିଆଯାଇଛି । ମଧ୍ୟାହ୍ନ ୧୨ଟାରୁ ରାତି ୧୦ଟା ଯାଏ ୫୦ ପ୍ରତିଶତ କ୍ଷମତାରେ ବାର ଖୋଲିବାକୁ ଅନୁମତି ମିଳିଛି ।

ସେହପରି କର୍ଣ୍ଣାକଟରେ ଆସନ୍ତାକାଲିଠାରୁ ୧୦ ଦିନ ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୧୦ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ ବୋଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏଥିସିହତ ନୂଆ ବର୍ଷ ଉତ୍ସବ ଉପରେ ସରକାର କଟକଣା ଲଗାଇଛନ୍ତି । ନୂଆ ବର୍ଷରେ ଡିଜେ, ପାର୍ଟି, ଉତ୍ସବ ଏବଂ ଭିଡ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ଏପଟେ ମହାରାଷ୍ଟ୍ର ସରକାର ଶିରିଡି ସାଇ ମନ୍ଦିରରେ ରାତିରେ କଟକଣା ଜାରି କରିଛନ୍ତି । ରାତି ୯ଟାରୁ ସକାଳ ୬ ଟା ଯାଏ ମନ୍ଦିର ବନ୍ଦ ରଖିବାକୁ ସରକାର ନିଷ୍ପତି ନେଇଛନ୍ତି । ଫଳରେ ଭକ୍ତମାନେ ସକାଳ ଓ ରାତିର ଆଳତୀରେ ସାମିଲ ହୋଇପାରିବେ ନାହିଁ ।