ପିଲାଙ୍କୁ ଟିକା ଓ ବୁଷ୍ଟର ଡୋଜ ଦେବାକୁ ପ୍ରସ୍ତୁତ ହେଉଛି ଓଡ଼ିଶା : ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ମଧ୍ୟରେ ପ୍ରାୟ ୨୫ ଲକ୍ଷ ପିଲାଙ୍କୁ ଟିକାକରଣ ଲକ୍ଷ୍ୟ

୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ସାଢ଼େ ୩ ଲକ୍ଷରୁ ଅଧିକ ସମୁଖ ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟର; ୬୦ ବର୍ଷରୁ ଅଧିକ ବର୍ଗରେ ଅଛନ୍ତି ୫୪ ଲକ୍ଷ

71

କନକ ବ୍ୟୁରୋ : ପିଲାଙ୍କୁ ଟିକା ଓ ବୁଷ୍ଟର ଡୋଜ ଦେବାକୁ ପ୍ରସ୍ତୁତ ହେଉଛି ଓଡ଼ିଶା । ଜାନୁଆରି ୩ ତାରିଖରୁ ୧୫ରୁ ୧୮ବର୍ଷ ମଧ୍ୟରେ ପିଲାଙ୍କୁ ପ୍ରଥମ ଡୋଜ୍ ଏବଂ ଜାନୁଆରି ୧୦ରୁ ସ୍ବାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ସ୍ବାସ୍ଥ୍ୟ ସମସ୍ୟା ଥିବା ୬୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଜାନୁଆରି ୩ରୁ ୧୫ରୁ ୧୮ବର୍ଷ ମଧ୍ୟରେ ଥିବା ପ୍ରାୟ ୨୫ଲକ୍ଷ ପିଲାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯିବ। କମ୍‌ ଦିନରେ ଯେପରି ଅଧିକ ପିଲାଙ୍କୁ ଟିକା ଦିଆଯିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏହି ବର୍ଗର ପିଲା ଏବେ ସ୍କୁଲ, କଲେଜ ଯାଉଥିବାରୁ ସେଠାରେ ଶିବିର ଆୟୋଜନ କରି ଟିକା ଦିଆଯିବ। ଏହାବାଦ୍ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ଦେବାର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିପା‌ଇଁ ସ୍ବାସ୍ଥ୍ୟକର୍ମୀଙ୍କ ଟିମ୍‌କୁ ପ୍ରସ୍ତୁତ କରାଯାଇଛି ।

ସେହିପରି ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ଦେବା ପାଇଁ ଏବେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ଏଥିରେ ୩ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀ, ସାଢେ ୩ଲକ୍ଷରୁ ଅଧିକ ସମ୍ମୁଖ ଯୋଦ୍ଧାଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । ପ୍ରାୟ ୫୪ଲକ୍ଷ ଲୋକ ‌୬୦ବର୍ଷରୁ ଅଧିକ ବର୍ଗରେ ଥିବାବେଳେ ସେମାନଙ୍କ ମଧ୍ୟରୁ ଯେଉଁମାନେ ଜଟିଳ ବା ଏକାଧିକ ରୋଗରେ ଆକ୍ରାନ୍ତ ଥିବେ ସେମାନଙ୍କୁ ଚିହ୍ନଟ କରି ବୁଷ୍ଟର ଡୋଜ୍‌ ଦିଆଯିବ । ଟିକାକରଣରେ ଯେପରି କୌଣସି ସମସ୍ୟା ହେବନି ସେଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୯.୮% ସ୍ବାସ୍ଥ୍ୟସେବା କର୍ମୀ ଏବଂ ଆଗ ଧାଡ଼ିର କର୍ମୀମାନେ ଟିକା ନେଇସାରିଛନ୍ତି । ୧୮ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୮୮.୨% ପ୍ରଥମ ଡୋଜ୍ ଏବଂ ସେମାନଙ୍କ ମଧ୍ୟରୁ ୮୬% ଦ୍ବିତୀୟ ଡୋଜ୍ ଟିକା ନେଇସାରିଛନ୍ତି । ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଅଙ୍ଗନୱାଡି କର୍ମୀଙ୍କ ଦ୍ବାରା ଚିହ୍ନଟ କରି ଟିକା ଦେବା ବ୍ୟବସ୍ଥା ହୋଇଛି । ତେଣୁ ପୂର୍ବରୁ ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କ ପାଇଁ ଏବେ ଟିକାକରଣରେ ଏବେ ବିଶେଷ ସମସ୍ୟା ହେବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।