ଭାରତ ଯୋଡ ଯାତ୍ରାରେ ସାମିଲ ହେବେ ଅଖିଳେଶ, ମାୟାବତୀ ଓ ଜୟନ୍ତ ଚୌଧୁରୀ ! ଓପି ରାଜଭରଙ୍କୁ ବି ନିମନ୍ତ୍ରଣ

132

କନକ ବ୍ୟୁରୋ : କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ଏବେ ଦିଲ୍ଲୀରେ ଚାଲିଛି । ଏହାପରେ ଏହି ଯାତ୍ରା ଖୁବଶୀଘ୍ର ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶରେ ପ୍ରବେଶ କରିବ । ଏହି କ୍ରମରେ କଂଗ୍ରେସ ତରଫରୁ ଉତ୍ତର ପ୍ରଦେଶରେ ଭାରତଯୋଡ ଯାତ୍ରାରେ ସାମିଲ ହେବାକୁ ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ସୁଶ୍ରୀ ମାୟାବତୀ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଓ ରାଷ୍ଟ୍ରୀୟ ଲୋକଦଳର ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ନିମନ୍ତ୍ରଣ କରିଛି । ଏହାସହ ଓପି ରାଜଭରଙ୍କୁ ବି ନିମନ୍ତ୍ରଣ କରାଯାଇଥିବା କଥା ସୂଚନା ମିଳିଛି । ଏହା ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ବି ଏଠାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୩ ତାରିଖରେ ଭାରତ ଯୋଡ ଯାତ୍ରା ଉତ୍ତର ପ୍ରଦେଶରେ ପ୍ରବେଶ କରିବ ।

ସୂଚନା ଥାଉକି ଦେଶର ଅଖଣ୍ଡତା ଉପରେ ବିପଦ ଥିବା କଥା କହି କଂଗ୍ରେସ ଏହି ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀଙ୍କ ସହ ଅନ୍ୟଦଳର ନେତା ଓ ଅଭିନେତାମାନେ ଏହି ଯାତ୍ରାରେ ସାମିଲ ହେଉଛନ୍ତି । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୋଭିଡ କଟକଣା ନେଇ ଭାରତ ଯୋଡ ଯାତ୍ରାକୁ ସ୍ଥଗିତ ରଖିବାକୁ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖିଥିବା ବେଳେ ଏହାକୁ ଅଗ୍ରାହ୍ୟ କରିଛି କଂଗ୍ରେସ ।