ବିଶ୍ୱ ପଖାଳ ଦିବସରେ ଓଡିଶା ପାରମ୍ପରିକ ଖାଦ୍ୟର ମଜା ନେଲେ ପ୍ରତିଟି ଓଡିଆ: ସ୍ଥାନେ ସ୍ଥାନେ ଜମିଲା ଖାଦ୍ୟପେୟର ଆସର

50

କନକ ବ୍ୟୁରୋ: ପଖାଳ.. ଆମ ଓଡ଼ିଆ ଘରର ଖାଦ୍ୟ । ପଖାଳ କହେ ଆମ ସଂସ୍କୃତି ଓ ପରମ୍ପରାର କଥା । ଆଜି ବିଶ୍ୱ ପଖାଳ ଦିବସ ଅବସରରେ ସବୁଠି ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳର ଆସର ଜମିଛି । ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣଅନୁକୋଣରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।

ପଖାଳ । କିଛି ଭାତ, କିଛି ପେଜ । କେବଳ ଖାଦ୍ୟ ତ’ ନୁହେଁ, ଗୋଟିଏ ଜାତିର ପରିଚୟ । ପଖାଳ କେବେ ଭେଦଭାବ କରେନି । ଗରିବର କି ଖାଦ୍ୟ, ଧନୀର ବି ପସନ୍ଦ । ଗାଁରେ ଯେତିକି ଚାହିଦା, ସହରରେ ସେତିକି ଆଗ୍ରହ । ବିଶ୍ୱ ପଖାଳ ଦିବସରେ ସବୁଠି ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳର ଆସର ।

ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘରେ ପଖାଳ ଦିବସରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ । ପଖାଳ ସହ ମନଲୋଭା ବ୍ୟଜନ ପ୍ରସ୍ତୁତ ହୋଇଥିଲା । ଆମିଷ, ନିରାମିଷ ସହ ଭଳି କି ଭଳି ଖାଦ୍ୟ ପେୟର ବ୍ୟବସ୍ଥା କରିଥିଲେ ବିଧାୟକ ସୁର ରାଉତରାୟ ।

ପଖାଳ ଆଉ କେବଳ ଗାଁର ଖାଦ୍ୟ ହୋଇ ରହିନାହିଁ । ତାରକା ହୋଟେଲର ଖାଦ୍ୟ ତାଲିକାରେ ମଧ୍ୟ ଯୋଡ଼ି ହୋଇଛି ପଖାଳ କଂସା । ଦହି ପଖାଳ କଂସା ସାଙ୍ଗକୁ ମାଛ ଭଜା, ଚିଙ୍ଗୁଡ଼ଇ ଭଜା, ପୋହଳା ମାଛ, ବଡ଼ି ଚୁରା, ଆଳୁ ଭର୍ତା, ଶାଗ ଭଜା, ବିଲାତି ଖଟା ଓ ଆମ୍ବ ଚଟଣୀ । ନିରାମିଷଙ୍କ ପାଇଁ ମଧ୍ୟ ରହିଛି ଭଳିକି ଭଳି ଖାଦ୍ୟ । ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ପଖାଳ ଖାଇବାକୁ ବଢ଼ିଛି ଆଗ୍ରହ ।

କୋଣାର୍କ ନିକଟସ୍ଥ ରାମଚଣ୍ଡୀ ମୁହାଣ ନିକଟରେ ଥିବା ଲୋଟସ୍ ରିସୋର୍ଟରେ ସ୍ୱତନ୍ତ୍ର ଭାବେ ପଖାଳ ଦିବସର ଆୟୋଜନ କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନେ ବେଶ ଆଗ୍ରହର ସହ ପାଳିଛନ୍ତି ପଖାଳ ଦିବସ । ନିଆରା ଖାଦ୍ୟ ପର୍ଯ୍ୟଟକଙ୍କୁ ବି ବେଶ୍ ପସନ୍ଦ ଆସିଛି ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ କଲେଜ ଅଫ୍ ହୋଟେଲ ମ୍ୟାନେଜମେଂଟରେ ଜମିଛି ପଖାଳର ଆସର । ପଖାଳ ସାଙ୍ଗକୁ ଓଡ଼ିଆ ଘରେ ପ୍ରସ୍ତୁତ ହେଉଥିବା ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ହୋଟେଲ ମ୍ୟାନେଜମେଂଟ ଛାତ୍ର । ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ପ୍ରୟାସ କରିଛନ୍ତି ।

ଆଉ ଏହାରି ଭିତରେ ଭୁବନେଶ୍ୱର ସହିଦ ନଗର ପୂଜା କମିଟି ପକ୍ଷରୁ ମଧ୍ୟ ଧୁମଧାମରେ ପାଳିତ ହୋଇଛି ପଖାଳ ଦିବସ । ପ୍ରାୟ ଏକ ହଜାର ଲୋକଙ୍କ ପାଇଁ ପୂଜା କମିଟି ପକ୍ଷରୁ ପଖାଳ ବ୍ୟବସ୍ଥା କରାଯାଇଥିଲା ।