ୟୁପିରେ ଦୁଇ ଭାଇଙ୍କ ହତ୍ୟାକୁ ନେଇ ଆତଙ୍କ । ଭୟଙ୍କର ଦୃଶ୍ୟ ବଖାଣିଲା ଅଳ୍ପକେ ବର୍ତ୍ତିଯାଇଥିବା ସାନ ଭାଇ

2,615

କନକ ବ୍ୟୁରୋ :ସବୁକିଛି ଠିକଠାକ ଥିଲା । ମା’ ରୋଷେଇ ସାରିଥିଲେ । ତିନି ଛୁଆ ଓ ପରିବାରର ଅନ୍ୟ ସଦସ୍ୟ ଏକାଠି ଖାଇ ଶୋଇବାକୁ ଯାଇଥାନ୍ତେ । କିନ୍ତୁ ମଂଗଳବାରର ରାତି ସାଜିଲା କାଳ ରାତି । ହଠାତ ଘର ଭିତରକୁ ପଶିଆସିଲା ଜହ୍ଲାଦ । ଆଉ ନିଜ ଧାରୁଆ ଛୁରୀରେ ତିନି ଛୁଆଙ୍କ ଜୀବନ ନେବାକୁ ଚେଷ୍ଟା କରିଛି । କିନ୍ତୁ ଦୁଇ ଜଣ ହତ୍ୟାର ଶିକାର ହୋଇଥିବା ବେଳେ ଅନ୍ୟ ଜଣେ ମୃତ୍ୟୁ ମୁଖରୁ ବର୍ତିଯାଇଛି । ଆଉ ଏବେ ଦୁଇ ଛୁଆକୁ ଝୁରି ଝୁରି ନିର୍ବାକ ହୋଇଯାଇଛି ମା’ । ଖାଲି ମା ନୁହେଁ ସାହି ପଡିଶା, ଆତ୍ମୀୟ ସ୍ୱଜନ ହତବାକ । ଅପରାହ୍ନରେ ଦାଣ୍ଡ ଆଗରେ ଖେଳୁଥିବା ଦୁଇ ଛୁଆ ଯେ ରାତିବେଳକୁ ଆଉ ତାଙ୍କ ସାଙ୍ଗରେ ନଥିବେ କେହି ଭାବିପାରୁ ନାହାନ୍ତି ।

ଉତରପ୍ରଦେଶର ବଦାୟୁଁର ହତ୍ୟା ଘଟଣା ଏବେ ଚର୍ଚ୍ଚାରେ । କେଉଁ କାରଣ ପାଇଁ ହତ୍ୟା କଲା ଦୁର୍ବୃତ୍ତ? ପରିବାର ସହିତ ପୂର୍ବ ଶତ୍ରୁତା ନା ଆଉ କିଛି କାରଣ? ଏବେ ଏହାକୁ ନେଇ ୟୁପିଠୁ ଆରମ୍ଭ କରି ସାରା ଦେଶରେ ଚହଳ ପକାଇଛି । ଯାହା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ଏହି ହତ୍ୟାକାଣ୍ଡ ପରେ ସମଗ୍ର ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପିଲାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସାଜିଦ୍ ମଧ୍ୟ ଏନକାଉଂଟରରେ ନିହତ ହୋଇଛି । ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଦୁଇ ନିଷ୍ପାପ ଛୋଟ ଛୁଆଙ୍କୁ ଜଘନ୍ୟ ଭାବେ ଦୁର୍ବୃତ ଜଣଙ୍କ କାହିଁକି ହତ୍ୟା କଲା । ଅନ୍ୟପଟେ ଅଭିଯୁକ୍ତ ସାଜିଦ୍ କେମିତି ଘରେ ପଶି ହତ୍ୟା କରିବାକୁ ସୁଯୋଗ ପାଇଲା?

ୟୁପି ପୋଲିସର କହିବା ଅନୁଯାୟୀ, ଦୋକାନ ଚଳାଉଥିବା ସାଜିଦ ନାମକ ଜଣେ ବ୍ୟକ୍ତି ରାତି ପ୍ରାୟ ୮ଟା ବେଳେ ତାଙ୍କ ଦୋକାନ ସାମ୍ନାରେ ବିନୋଦ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ । ସୂଚନା ଅନୁଯାୟୀ, ଦୁହେଁ ପରସ୍ପରକୁ ଆଗରୁ ଜାଣିଥିଲେ ଏବଂ ସେମାନଙ୍କ ମଧ୍ୟରେ ପୁରୁଣା ପାରସ୍ପରିକ ବିବାଦ ଲାଗି ରହିଥିଲା । ସାଜିଦ ବିନୋଦଙ୍କ ଘରକୁ ଯାଇ ପ୍ରଥମେ ତାଙ୍କ ପରିବାର ଲୋକଙ୍କୁ ଚା’ ତିଆରି କରିବାକୁ କହିଥିଲେ । ଏହାପରେ ସେ ବିନୋଦଙ୍କ ତିନି ସନ୍ତାନ ଆୟୁଷ, ଆହାନ ଓ ପୀୟୂଷଙ୍କୁ ଛାତ ଉପରେ ଆକ୍ରମଣ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଏହି ଆକ୍ରମଣରେ ଆୟୁଷ, ଆହାନଙ୍କ ମୃତ୍ୟୁ ଘଟିଥିବା ବେଳେ ପୀୟୂଷ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛି । ଦୁଇ ଛୋଟ ଛୁଆଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୁଲିସ ତାକୁ ଧରିବା ପରେ ସେ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏହାପରେ ସାଜିଦକୁ ପୁଲିସ ଏନକାଉଂଟର କରିଥିଲା । ତେବେ ତଦନ୍ତ ଅନୁଯାୟୀ ଏନକାଉଂଟରରେ କେବଳ ଜଣେ ଅଭିଯୁକ୍ତ ସାଜିଦ ନିହତ ହୋଇଥିବା ପୁଲିସ କହିଛି । ତେବେ ଅଭିଯୁକ୍ତ ସାଜିଦଙ୍କ ସହ ତାଙ୍କ ଭାଇ ଜାଭେଦ ମଧ୍ୟ ମୃତକଙ୍କ ଘରକୁ ଆସିଥିଲେ ବୋଲି ମୃତକର ମା’ କହିଛନ୍ତି ।

ପୀଡ଼ିତଙ୍କ ପରିବାର ଲୋକ କହିଛନ୍ତି ଯେ ସାଜିଦ୍ ତାଙ୍କ ଘର ଭିତରକୁ ଆସି ତାଙ୍କ ପତ୍ନୀ ଗର୍ଭବତୀ ଏବଂ ଡାକ୍ତରଖାନାରେ ଅଛନ୍ତି ବୋଲି ୫ ହଜାର ଟଙ୍କା ଧାର ମାଗିଥିଲେ । ଯେତେବେଳେ ପିଲାମାନଙ୍କ ମା’ ସଙ୍ଗୀତା ତାଙ୍କ ସ୍ୱାମୀ ବିନୋଦଙ୍କୁ କହିଥିଲେ, ସେ କହିଥିଲେ ଆସନ୍ତାକାଲି ଦେଇପାରିବେ । ଏହାପରେ ସାଜିଦ ଚା’ ମାଗିଥିବେ । ଦୁଇ ଘଂଟା ପରେ ସେ ହସ୍ପିଟାଲ ଯିବେ । ଯେଉଁଠି ତାଙ୍କ ପତ୍ନୀ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତ ସାଜିଦ ଘରର ବଡ଼ ପୁଅ ଆୟୁଷଙ୍କୁ ଏହି ସମୟରେ ମା’ଙ୍କ ପାର୍ଲର ଦେଖାଇବାକୁ କହିଥିଲେ । ସେ ତାଙ୍କୁ ପାର୍ଲରର ପ୍ରଥମ ମହଲା ଏବଂ ପରେ ଦ୍ୱିତୀୟ ମହଲାକୁ ନେଇଯାଇଥିଲେ । ଏହାପରେ ସେ ଲାଇଟ୍ ବନ୍ଦ କରି ଆୟୁଷଙ୍କୁ ଛୁରୀରେ କାଟି ହତ୍ୟା କରିଥିଲା । ତା’ପରେ ସାନ ପୁଅ ଆହାନ ପାଣି ନେଇ ଉପର ମହଲାକୁ ଯାଇଥିଲା । ସାଜିଦ୍ ମଧ୍ୟ ତାକୁ ସମାନ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା ।

ଏହି ଭୟଙ୍କର ହତ୍ୟାକାଣ୍ଡରେ ପୀଡ଼ିତଙ୍କ ପରିବାରର ସାନ ପୁଅ ପୀୟୂଷଙ୍କ ଜୀବନ ବଂଚିଯାଇଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ସାଜିଦ ସାନ ପିଲା ପୀୟୂଷଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏହି ଆକ୍ରମଣରେ ପୀୟୂଷଙ୍କୁ ଚାପୁଡ଼ା ମାରିବା ସହ ଆଙ୍ଗୁଠିରେ ଛୁରି ମାଡ଼ କରାଯାଇଥିଲା । ଏହାପରେ ପୀୟୁଷ ସେଠାରୁ ଦୌଡ଼ି ଯାଇ କବାଟ ବନ୍ଦ କରିଥିଲେ । ଅଭିଯୁକ୍ତ କିଛି ସମୟ ଛୁରୀ ଧରି ଘରେ ଛିଡ଼ା ହୋଇ ସେଠାରୁ ଫେରାର ହୋଇଯାଇଥିଲା ।

ଏବେ ସୁଦ୍ଧା କେବଳ ସାଜିଦଙ୍କ ଭୂମିକା ବିଷୟରେ ଉଲ୍ଲେଖ କରାଯାଇଛି । କିନ୍ତୁ ପରିବାର ଲୋକଙ୍କ କହିବା ଅନୁଯାୟୀ ଉଭୟ ସାଜିଦ ଏବଂ ତାଙ୍କ ଭାଇ ଜାଭେଦ ମଧ୍ୟ କୁଆଡେ ଘରକୁ ଆସିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ହତ୍ୟା ସମୟରେ ଜାଭେଦ ଏକ ବାଇକ୍ ଧରି ବାହାରେ ଅପେକ୍ଷା କରିଥିଲା । ଜାଭେଦଙ୍କୁ ମଧ୍ୟ ଘରକୁ ଆସିଥିବା ପରିବାର ଲୋକେ ଅଭିଯୋଗ କରିଥିବାରୁ ପୁଲିସ ତାଙ୍କୁ ଖୋଜୁଛି ।