ଓଡିଶାରେ ଏବର୍ଷ ଖରାଦିନେ କମ୍ ଗରମ: ରାଜ୍ୟ ଉପରେ ରହିବ ଲା-ନିନାର ପ୍ରଭାବ

1,105

କନକ ବ୍ୟୁରୋ: ଗ୍ରୀଷ୍ମ ରୁତୁକୁ ନେଇ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଆଶ୍ୱସ୍ତି ଆଣି ଦେଇଛି । ମାର୍ଚରୁ ମେ ମାସ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ତାପମାତ୍ରା କମ ରହିବ । ଅର୍ଥାତ୍ ବେଶି ଖରା ହେବ ନାହିଁ, ଏପରିକି ସ୍ଥାନେ ସ୍ଥାନେ ହାଲକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛିି । ବିଶେଷ କରି ଉପକୂଳ ଓଡିଶା ସମେତ ମୟୂରଭଂଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ, ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ୩ ମାସ, ଦିନ ଓ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ପ୍ରଶାନ୍ତ ମହାସାଗରରୁ ଭାରତ ଭୂଖଣ୍ଡକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଏହାସହ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରର ତାପମାତ୍ରା କମ ରହିଛି । ଏହାର ପ୍ରଭାବ ଭାରତ ଭୂଖଣ୍ଡ ଉପରେ ପଡୁଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଲା-ନିିନାର ପ୍ରଭାବ ଯୋଗୁଁ, ଚଳିତ ବର୍ଷ ଓଡିଶାରେ ଗ୍ରୀଷ୍ମ ମାସରେ କମ ଗରମ ଅନୁଭୁତ ହେବ ।

ପ୍ରଶାନ୍ତ ମହାସାଗର ଆଡୁ ଅଧିକ ଜଳକଣା ଯୁକ୍ତ ଶୀତଳ ବାୟୁ ଭାରତ ଭୂଖଣ୍ଡକୁ ପ୍ରବାହିତ ହେଉଛି । ସ୍ଥଳଭାଗରେ ଥିବା ଶୁଷ୍କ ତଥା ଗରମ ବାୟୁମଣ୍ଡଳ ସେହି ଶୀତଳ ବାୟୁ ସଂସ୍ପର୍ଶରେ ଆସି ବାଷ୍ପୀକରଣ ହେଉଛି । ଏହା ହେଉଛି ଲା-ଲିନା ପ୍ରଭାବ । ଏହା ଯୋଗୁଁ ଗ୍ରୀଷ୍ମ ରୁତୁରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ କମ ରହୁଛି ।

ଲା-ନିିନା ପ୍ରଭାବ ଏବେ ଓଡିଶାରେ ସକ୍ରିୟ ରହିଛି । ତେଣୁ ମାର୍ଚ୍ଚରୁ ମେ ମଧ୍ୟରେ ରାଜ୍ୟରେ ସ୍ୱାଭାବିକରୁ ଅଧିକ ଖରା ଅନୁଭୂତ ହେବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ଗତ ୨୪ ଘଂଟା ଭିତରେ ଓଡିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିରେ ୨୦ ମିଲିିମିଟର ବର୍ଷା ରେକର୍ଡ କରାଯାଇଛି ।
ଲା-ନିିନା ପ୍ରଭାବରେ ଚଳିତ ବର୍ଷ ଓଡିଶାବାସୀଙ୍କ ପାଇଁ ଗ୍ରୀଷ୍ମ ରୁତୁ ଆଶ୍ୱସ୍ତିକର ହେବ ବୋଲି ପ୍ରାରମ୍ଭିକ ଆକଳନରୁ ଜଣାପଡିଛି ।