ଉତ୍ତରପ୍ରଦେଶ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି । ବାରାଣାସୀରୁ ଅଖିଳେଶ ଯାଦବଙ୍କ ପାଇଁ କରିବେ ପ୍ରଚାର ।

172

କନକ ବ୍ୟୁରୋ : ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମୋର୍ଚ୍ଚା ବାନ୍ଧିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି ହେବିୱେଟ୍ ନେତ୍ରୀ ମମତା ବାନାର୍ଜୀ । ଆଉ ବାରାଣାସୀରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି ମମତା ବାନାର୍ଜୀ । ସେପଟେ ୟୁପି ନିର୍ବାଚନରେ ୟୁକ୍ରେନ ସଙ୍କଟ କଥା ଉଠାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ରାଜ୍ୟରେ ବିଜେପିକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛି ସମାଜବାଦୀ ପାର୍ଟି । ଆଉ ଅଖିଳେଶ ଯାଦବଙ୍କ ଦଳ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବୁଧବାର ଏନେଇ କୋଲକାତାରୁ ବାହାରିଛନ୍ତି ଦିଦି । ଆସନ୍ତାକାଲି ବାରାଣାସୀରେ ଅଖିଳେଶଙ୍କ ପାଇଁ କରିବେ ପ୍ରଚାର ।

ସେପଟେ ୟୁପିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଭଳି ବଡ ବଡ ନେତା ମଇଦାନକୁ ଓହ୍ଲାଇ ପ୍ରଚାର କରୁଛନ୍ତି । ନିଜ ଅଭିଭାଷଣରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି ୟୁକ୍ରେନରୁ ଯେଉଁଭଳି ଭାବେ ଫଶିରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି, ତାହା କେବଳ ଭାରତ ସରକାରଙ୍କ ଶକ୍ତି ପାଇଁ ହିଁ ସମ୍ଭବ ହେଉଛି ।

ସେପଟେ ବିଜେପିକୁ କଡ୍ଡା ଟକ୍କର ଦେବାକୁ ସମାଜବାଦି ପାର୍ଟି ଚଳାଇଛି ଜୋରଦାର ଉଦ୍ୟମ । କେନ୍ଦ୍ର ସରକାରଙ୍କ ଅବ୍ୟବସ୍ଥା ଓ ଯୋଗୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଖିଳେଶ ଯାଦବ । ଗୁରୁବାର ରାଜ୍ୟର ଷଷ୍ଠ ଚରଣ ନିର୍ବାଚନ ହେବ । ୧୦ ଜିଲ୍ଲାରେ ୫୭ଟି ଆସନରେ ମତଦାନ ଦେବେ ଭୋଟର । ୭ ତାରିଖରେ ହେବ ୭ମ ତଥା ଶେଷ ପର୍ଯ୍ୟାୟ ମତଦାନ । ଏହା ପୂର୍ବରୁ ରାଜ୍ୟରେ ବଳ କଷୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ୟୁପିରେ କେଉଁ ଦଳ ମାରିବ ବାଜି ତାହା ସମୟ କହିବ ।