ନୂଆଁଖାଇରେ ଚାଷୀଙ୍କୁ ମିଳିଲା କାଳିଆ ସହାୟତା । ବ୍ୟାଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା । ପଢନ୍ତୁ, କଣ କହିଲେ ଚାଷୀ ଭାଇ…

336

କନକ ବ୍ୟୁରୋ: ପୂର୍ବ ଘୋଷଣା ଅନୁସାରେ ନୂଆଁଖାଇରେ ରାଜ୍ୟର ଚାଷୀଙ୍କୁ ଭେଟି ଦେଇଛନ୍ତି ସରକାର । ୪୧ ଲକ୍ଷ ଚାଷୀଙ୍କ ଖାତାକୁ ସିଧାସଳଖ ଯାଇଛି କାଳିଆ ଟଙ୍କା । ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ପୂର୍ବରୁ ୨ଟି କିସ୍ତିରେ ୫ ହଜାର ଲେଖାଏଁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଏବେ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ଦିଆଯାଉଛି । ତେବେ କାଳିଆ ଟଙ୍କାରେ ଚାଷୀ କରୁଛନ୍ତି କ’ଣ, ସେ ନେଇ ଆମେ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ତେବେ କିଛି ଚାଷୀ ସରକାରୀ ସହାୟତାକୁ ସ୍ୱାଗତ କରିଥିବା ବେଳେ ଆଉ କେତେକ ସମାଲୋଚନା କରିଛନ୍ତି ।

  • ନୂଆଁଖାଇରେ ଚାଷୀଙ୍କୁ ସରକାରଙ୍କ ଭେଟି
  • କାଳିଆ ଟଙ୍କା ପାଇ ଚାଷୀ କରିବେ କ’ଣ?

ରାଜ୍ୟରେ ଚାଷୀଙ୍କ ଅବସ୍ଥା କିଭଳି ଅଛି, ତାର ଏକ ମୋଟାମୋଟି ଚିତ୍ର ଜାଣିବା ପାଇଁ ଆମେ କିଛି ଚାଷୀଙ୍କ ପ୍ରତିକ୍ରିୟା ନେଇଥିଲୁ । ଯେଉଁଥିରେ ତଳି ବିଡାକୁ ୧୫ରୁ ୧୬ ଟଙ୍କା ଦେଇ କିଣୁଥିବା ଅଭିଯୋଗ କରିଛନ୍ତି ଚାଷୀ । କାରଣ ବନ୍ୟା ପାଣି ଚାଷଜମିକୁ ଧୋଇଦେବା ପରେ ଧାନ ତଳିର ଅଭାବ ଦେଖାଦେଇଛିି । ସେହିପରି ବଜାରରେ ଆବଶ୍ୟକ ସାରର ଅଭାବ ଥିବାରୁ ଜିଲ୍ଲା କୃଷି ଅଧିକାରୀଙ୍କ ଟେବୁଲ ଉପରେ ଟଙ୍କା ରଖି କେଉଁଠି ସାର ମିଳୁଛି କିଣି ଆଣିବାକୁ କହୁଛନ୍ତି ଚାଷୀ । ଚାଷ ଓ ଚାଷୀର ଏଭଳି ଏକ ସ୍ଥିତି ଭିତରେ ସାରା ରାଜ୍ୟର ଚାଷୀଙ୍କୁ ନୂଆଁଖାଇ ଭେଟି ଦେଇଛନ୍ତି ସରକାର । ପ୍ରାୟ ୪୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଡିବିଟି ଜରିଆରେ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି । ମୋଟ୍ ୮୬୯ କୋଟି ଟଙ୍କା କାଳିଆ ସହାୟତା ବାବଦରେ ଦିଆଯାଇଥିବା ସରକାରୀ ଭାବେ କୁହାଯାଇଛି । ଆଉ ଟଙ୍କା ପାଇଁ ଖୁସି ବ୍ୟକ୍ତ କରିଛନ୍ତି କିଛି ଚାଷୀ ।

କେଉଁଠି ସ୍ୱାଗତ, ତ ପୁଣି କେଉଁଠି ସମାଲୋଚନା । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଯୋଗାଇ ଦିଆଯାଉଥିବା ଏହି କାଳିଆ ସହାୟତାକୁ ନେଇ ଆମେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଷୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ବିଶେଷ କରି କାଳିଆ ଟଙ୍କା ପାଇବା ପରେ ସେମାନେ କରନ୍ତି କଣ ଜାଣିବାକୁ ଚାହିଁବାରୁ ଦୁଇଟି କିସ୍ତିରେ ୨ ହଜାର ଲେଖାଏଁ ମୋଟ୍ ୪ ହଜାର ଟଙ୍କାର ସହାୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ । ଏକର ପିଛା ହେଉଥିବା ଖର୍ଚ୍ଚର ଏକ ମୋଟାମୋଟି ହିସାବ ଦେଇଛନ୍ତି ଚାଷୀ । କେମିତି ପୂର୍ବାପେକ୍ଷା ତଳି, ସାର ଓ ଶ୍ରମିକ ଖର୍ଚ୍ଚ ବଢିଯାଇଛି ସେନେଇ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ବର୍ଷକୁ ୨ ଥର ଅକ୍ଷୟ ତୃତୀୟା ଓ ନୂଆଁଖାଇରେ କାଳିଆ ଟଙ୍କା ଦେବାକୁ ଘୋଷଣା ହୋଇଥିଲା । ପୂର୍ବରୁ ଦୁଇଟି କିସ୍ତିରେ ପାଞ୍ଚ ହଜାରେ ଲେଖାଏଁ ବର୍ଷକୁ ଦଶ ହଜାର ଟଙ୍କା ଦିଆଯାଉଥିବାବେଳେ ଏବେ ଏହାକୁ କମାଇ ଦୁଇ ହଜାର ଲେଖାଏଁ ୪ ହଜାର କରିଦିଆଯାଇଛି ।