କିଶୋର କୁମାରଙ୍କ ବଙ୍ଗଳରେ ବିରାଟ କୋହଲୀ ଖୋଲିବେ ରେଷ୍ଟୁରାଣ୍ଟ । ୫ ବର୍ଷ ପାଇଁ ଲିଜ୍ ନେଇଥିବା ସୂଚନା

133

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଖେଳାଳୀ ବିରାଟ କୋହଲୀ ଏକ ନୂଆ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛନ୍ତି । ଏଥିପାଇଁ ସେ ସ୍ୱର୍ଗତ କଣ୍ଠଶିଳ୍ପୀ କିଶୋର କୁମାରଙ୍କ ଘରକୁ ଚୟନ କରିଛନ୍ତି । କିଶୋର ଦାଙ୍କ ମୁମ୍ବାଇ ଜୁହୁ ସ୍ଥିତ ବଙ୍ଗଳାକୁ ବିରାଟ ୫ ବର୍ଷ ପାଇଁ ଲିଜ୍ ସୂତ୍ରରେ ନେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମର ଖବର ମୁତାବକ ବିରାଟ ଏଠାରେ ଏକ ହାଇଗ୍ରେଡ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛନ୍ତି । ଏହି ରେଷ୍ଟୁରାଣ୍ଟର କାମ ପାଖାପାଖି ଶେଷ ହୋଇଛି । କୁହାଯାଉଛି କି ନଭେମ୍ବର ମାସରେ ଏହି ରେଷ୍ଟୁରାଣ୍ଟର ଓପନିଂ ହେବାକୁ ଯାଉଛି ।

କିଶୋର କୁମାରଙ୍କ ବଡ ପୁଅ ଅମିତ କୁମାର ଏହି କଥା ସ୍ପଷ୍ଟ କରି କହିଛନ୍ତି କି ବିରାଟ ଓ କିଶୋର କୁମାରଙ୍କ ସାନପୁଅ ସୁମିତଙ୍କ ସହ କିଛିମାସ ତଳେ ଭେଟ ହୋଇଥିଲା । ଏହି ଭେଟ ବେଳେ ଉଭୟଙ୍କ ମଧ୍ୟରେ ଘର ଭଡା ନେବାକୁ ନେଇ ଆଲୋଚନା ହୋଇଥିଲା । ଏବେ ଏହି ବଙ୍ଗଳାକୁ ବିରାଟ ୫ ବର୍ଷ ପାଇଁ ଲିଜ୍ ସୂତ୍ରରେ ନେଇଥିବା କଥା ସେ ସ୍ପଷ୍ଟ କରିଛନ୍ତି ।

ବିରାଟ ଯେଉଁ ବଙ୍ଗଳରେ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛନ୍ତି ତାର ନାମ ଗୌର କୁଞ୍ଜ ଓ ଏହି ବଙ୍ଗଳାରେ କିଶୋର କୁମାର ରହୁଥିଲେ । ୨୦୧୮ ମସିହାରେ ଏହି ବଙ୍ଗଳାକୁ ନେଇ ବିବାଦ ଦେଖା ଦେଇଥିଲା । ଏହାକୁ ପ୍ରଥମେ ଜଣେ ଲୋକକୁ ରେଷ୍ଟୁରାଣ୍ଟ ଖୋଲିବା ଲାଗି ୩ ବର୍ଷ ପାଇଁ ଲିଜରେ ଦିଆଯାଇଥିଲା । ଏହାପରେ ବିଏମସି ତରଫରୁ ବଙ୍ଗଳାର ଗ୍ରାଉଣ୍ଡ ଫ୍ଲୋର ଅବୈଦ୍ଧ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ ଆଣିଥିଲା ।

ସେପଟେ ଯଦି କ୍ରିକେଟ ଖେଳାଳୀ ବିରାଟ କୋହଲୀଙ୍କ କଥା କୁହାଯିବ ତେବେ ବିରାଟଙ୍କର ବାର୍ଷିକ ରୋଜଗାର ୨୦୦ କୋଟି ଟଙ୍କାରୁ ଅଧିକ । ବିରାଟଙ୍କ ପାଖରେ ୯୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି ।