ବିସିସିଆଇର ଅମ୍ପାୟାରସିପ୍ ପାଇଁ ମନୋନୀତ ହେଲେ ଓଡ଼ିଆ ପୁଅ : ସରିନି ସଂଘର୍ଷ, ଆଗାମୀ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା ଆଶାରେ କଟକର ଦୁର୍ଗାଦତ୍ତ

776

କନକ ବ୍ୟୁରୋ : ଖେଳ ପଡିଆକୁ କ୍ରିକେଟ ଖେଳିବାକୁ ଗଲେ କାହାର ବ୍ୟାଟିଂ କରିବାର ଇଚ୍ଛା ତ କାହାର ବୋଲିଂ କରିବାର ଇଚ୍ଛା । କିନ୍ତୁ ଖେଳ ପଡିଆରେ ସମ୍ପୂର୍ଣ୍ଣ ଭିନ୍ନ ଦୁର୍ଗାଦତ୍ତ । ତାଙ୍କର ଇଚ୍ଛା ଅମ୍ପେୟାରସିପ୍ କରିବା । ତାଙ୍କର ଏହି ଭିନ୍ନ ଧରଣର ଚିନ୍ତା ଓ ଅକ୍ଳାନ୍ତ ପରିଶ୍ରମ ତାଙ୍କୁ ଗାଁ ଖେଳ ପଡିଆରୁ ନେଇ ପହଂଚାଇ ପାରିଛି ବିସିସିଆଇ ଅମ୍ପାୟାରସିପ୍ ମନୋନୟନରେ ।

ଦୃଢ ମନବଳ, ଏକାଗ୍ରତା ଓ ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତା ଆଣିଦିଏ । ଏମିତି ଅନେକ ଉଦାହରଣ ରହିଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ କୁରାଙ୍ଗ ଶାସନ ଗାଁର ଦୁର୍ଗାଦତ୍ତ ଦାସ । ଗାଁ ପଡିଆରେ କ୍ରିକେଟ୍ ଖେଳରେ ଅମ୍ପାୟାରସିପ୍ କରୁଥିବା ଦୁର୍ଗାଦତ୍ତ ୨୦୧୨ ମସିହାରୁ ଓସିଏରେ ଅମ୍ପାୟାରସିପ୍ କରୁଛନ୍ତି । ଏବେ ବୋର୍ଡ ଅଫ କ୍ରିକେଟ୍ କାଉନସିଲ୍ ଅଫ ଇଣ୍ଡିଆ ଅର୍ଥାତ୍ ବିସିସିଆଇର ଅମ୍ପାୟାରସିପ୍ ପାଇଁ ମନୋନୀତ ହୋଇଛନ୍ତି । ଦୁର୍ଗାଦତ ୯୨ ପ୍ରତିଶତ ମାର୍କ ରଖି ଆଗକୁ ବଢିଛନ୍ତି ।

ବିସିସିଆଇର ଅମ୍ପେୟାରସିପ୍ ଇଂଟରଭ୍ୟୁରେ ଉନ୍ନୀତ ହେବା ପରେ ଅନେକ ପର୍ଯ୍ୟାୟ ରହିଛି । ତେଣୁ ପ୍ରତି ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି ଦୁର୍ଗାଦତ୍ତ । ତାଙ୍କର ଏହି ସଫଳରାରୁ ପୁରା ପରିବାର ଓ ଗାଁ ଗର୍ବିତ ହେଉଥିବା ବେଳେ ରାଜ୍ୟ ମଧ୍ୟ କିଛି କମ୍ ଗର୍ବିତ ନୁହଁନ୍ତି । ଦୁର୍ଗାଦତ୍ତଙ୍କ ଗାଁର ଆଉ ଏକ ଇତିହାସ ରହିଛି, କିମ୍ବଦନ୍ତୀ କୁହେ ରାଜା କପିଲେନ୍ଦ୍ର ଦେବ ମଧ୍ୟ କୁରାଙ୍ଗ ଶାସନ ଗାଁର ଥିଲେ ।