ଦଳରେ କିଏ ପାଇବ ସ୍ଥାନ, ତାହାର କିଛି ଗ୍ୟାରେଣ୍ଟି ନାହିଁ । କାହିଁକି ଅଧିନାୟକ ରୋହିତ ଶର୍ମା କହିଲେ ଏମିତି କଥା?

453

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସିରିଜ ଖେଳୁଥିବା ଟିମ୍ ଇଣ୍ଡିଆରେ ଏବେ ଜୋରଦାର ଏକ୍ସପେରିମେଣ୍ଟ ଚାଲିଛି । ପ୍ରତି ଫର୍ମାଟରେ ନୂଆ ନୂଆ ଖେଳାଳୀଙ୍କୁ ସୁଯୋଗ ଦେଉଛି ଟିମ୍ ମ୍ୟାନେଜମେଣ୍ଟ । ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ କିଛି ଏଭଳି ଦେଖିବାକୁ ମିଳିଥିଲା । ପ୍ରଥମ ଦିନିକିଆକୁ ଛାଡିଦେଲେ ବାକି ୨ଟି ମ୍ୟାଚରେ ବିରାଟ ଓ ରୋହିତଙ୍କୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳୀଙ୍କୁ ସୁଯୋଗ ଦିଆଯାଇଥିଲା । ଯେଉଁମାନଙ୍କ ମଧ୍ୟରେ କିଛି ଖେଳାଳୀ ଭଲ ପ୍ରଦର୍ଶନ କରିଥିବା ବେଳେ କିଛି ଖେଳାଳୀ ସୁଯୋଗର ହାତଛଡା କରିଥିଲେ । କିନ୍ତୁ ପ୍ରଶ୍ନ ଉଠୁଛି ବିଶ୍ୱକପ ପୂର୍ବରୁ ଏଭଳି ଏକ୍ସପେରିମେଣ୍ଟ କାହିଁକି? ଆଗକୁ ଏସିଆ କପରେ ମଧ୍ୟ ଏହାର ପୁନରାବୃତ୍ତି ଦେଖିବାକୁ ମିଳିପାରେ । ଏନେଇ ରୋହିତ ସଂକେତ ଦେଇଛନ୍ତି ।

ରୋହିତ କହିଛନ୍ତି, ଟିମରେ କୌଣସି ଖେଳାଳୀଙ୍କର ଚୟନ ଅଟୋମେଟିକ ନୁହେଁ । ଏସିଆ କପର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମଧ୍ୟ ଖେଳାଳୀଙ୍କୁ ଏଭଳି ସୁଯୋଗ ଦିଆଯିବ ଏବଂ ଏହାପରେ ବିଶ୍ୱକପ ପାଇଁ ଅନ୍ତିମ ନିଷ୍ପତ୍ତି ନିଆଯିବ । ଏହାସହ ବିଶ୍ୱକପ ପ୍ରସ୍ତୁତିକୁ ନେଇ ରୋହିତ କହିଛନ୍ତି, ୪ ନମ୍ବର ସ୍ଥାନରେ ବ୍ୟାଟିଂ ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯୁବରାଜ ସିଂଙ୍କ ପରେ ଏହି ନମ୍ବରରେ ବ୍ୟାଟିଂ ପାଇଁ କୌଣସି ବ୍ୟାଟର ସେଟ୍ ହୋଇପାରୁନାହାନ୍ତି । ଏହି ୪ ନମ୍ବରରେ ଦୀର୍ଘ ସମୟ ଧରି ଶ୍ରେୟସ ଆୟର ଭଲ ବ୍ୟାଟିଂ କରି ଆସୁଥିଲେ । କିନ୍ତୁ ଆୟର ଓ ଅନ୍ୟ କିଛି ଖେଳାଳୀ ଆହତ ହେବା କାରଣରୁ ଦଳ ଏବେ ଏହି ସ୍ଥାନରେ କାହାକୁ ଖେଳାଇବ ତାହାକୁ ନେଇ ଚିନ୍ତାରେ ପଡିଛି । ରୋହିତ କହିଛନ୍ତି, ଦଳରେ କାହାର ଚୟନ ଆପଣାଛାଏଁ ହେଉନି । ଏହି ସୂଚୀରେ ସେ ମଧ୍ୟ ରହିଛନ୍ତି । ଆମ ଦଳରେ ସ୍ଥିର ହୋଇଛି ଯେ, କାହାର ଚୟନ ନେଇ ଗ୍ୟାରେଣ୍ଟି ନାହିଁ । ତେବେ କିଛି ଖେଳାଳୀଙ୍କୁ ନିଶ୍ଚିତ ଜଣା ଅଛି ଯେ, ସେମାନେ ଖେଳିବେ ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଦିନିକିଆ ଖେଳିବା ଦଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ଏହି ସିରିଜ ଜରିଆରେ କିଛି ଖେଳାଳୀଙ୍କ ପ୍ରଦର୍ଶନ ଉପରେ ନଜର ରଖି ପାରିଲୁ । ଏସିଆ କପରେ ମଧ୍ୟ ଆମ ଦଳ କିଛି ଭଲ ଟିମ୍ ସହ ଖେଳିବ । ତେଣୁ ସମସ୍ତଙ୍କୁ ନିଜ ସ୍ଥାନ ପକ୍କା କରିବାକୁ ଲଢିବାକୁ ହେବ । ଟପ୍ ଅର୍ଡର ହେଉ ବା ଲୋଏର ଅର୍ଡର । ଚାପ ଭିତରେ ପ୍ରଦର୍ଶନ କରିବାକୁ ପଡିବ ନଚେତ ଟିମରେ ସ୍ଥାନ ପାଇବା ଏତେ ସହଜ ହେବନି ବୋଲି କହିଛନ୍ତି ରୋହିତ । ଏହାସହ ସେ କହିଛନ୍ତି, ଶ୍ରେୟସ ଓ ରାହୁଲ ଦୀର୍ଘ ୪ ମାସରୁ ଅଧିକ ସମୟ ହେବ କ୍ରିକେଟ ଖେଳିନାହାନ୍ତି । କିଛି ଦିନ ପରେ ଚୟନ କମିଟିର ବୈଠକ ହେବ । ତେଣୁ ଆମର ଆଗାମୀ ରଣନୀତି କଣ ହେବ ତାହାକୁ ନେଇ ବୈଠକରେ ଚର୍ଚ୍ଚା ହେବ । ବିଶ୍ୱକପ ପାଇଁ ଶ୍ରେଷ୍ଠ ଟିମ୍ କଣ ହୋଇପାରିବ ସେ ବାବଦରେ ଆଲୋଚନା ହେବ । କିନ୍ତୁ ଏହା ପୂର୍ବରୁ ଏସିଆ କପ୍ ରହିଛି । ତେଣୁ ଶ୍ରେୟସ ଓ ରାହୁଲ ଯଦି ଫିଟ୍ ନ ହୁଅନ୍ତି ତେବେ ଏସିଆ କପରେ ମଧ୍ୟ ଏଭଳି ଏକ୍ସପେରିମେଣ୍ଟ ହେବ । ଯେଉଁ ଖେଳାଳୀ ଚାପ ଭିତରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେବେ ସେମାନଙ୍କୁ ଟିମରେ ସୁଯୋଗ ମିଳିବା ସମ୍ଭାବନା କ୍ଷୀଣ ବୋଲି ରୋହିତ ସଂକେତ ଦେଇଛନ୍ତି ।