ସେନା ଚାହିଁଥିଲେ ୨ ଦିନରେ ମଣିପୁର ହିଂସା ରୋକିପାରିଥାନ୍ତା । ହେଲେ ପ୍ରଧାନମନ୍ତ୍ରୀ ମଣିପୁରକୁ ଜଳିବାକୁ ଛାଡିଦେଲେ । ଅବିଶ୍ୱାସ ପ୍ରସ୍ତାବ କାଟ୍ ଖାଇବା ପରେ ପୁଣି ବର୍ଷିଲେ ରାହୁଲ ଗାନ୍ଧୀ ।

114

କନକ ବ୍ୟୁରୋ: ମଣିପୁର ମୁଦ୍ଦା ଉପରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଲୋକସଭାରେ କାଟ୍ ଖାଇବା ପରେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଲୋକସଭାରେ ୨ ଘଣ୍ଟା ୧୩ ମିନିଟ୍ ଭାଷଣ ଦେଲେ, ହେଲେ ଏହା ଭିତରୁ ସେ କେବଳ ୨ ମିନିଟ୍ ମଣିପୁର ପ୍ରସଙ୍ଗରେ ହସି ହସି କହିଥିଲେ । ତେବେ ଦେଶର ପ୍ରଧାନମନ୍ତ୍ରୀ ମଣିପୁରର ମଜାକ୍ ଉଡାଇବା ଠିକ୍ ନୁହେଁ । ଏହାସହ ରାହୁଲ ଗାନ୍ଧୀ କାହିଁକି ଭାରତର ମାତାଙ୍କ ହତ୍ୟା ହେଇଛି ବୋଲି ବୟାନ ରଖିଥିଲେ, ସେନେଇ ମଧ୍ୟ ସଫେଇ ଦେଇଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ମଣିପୁର ହିଂସାକୁ ଭାରତୀୟ ସେନା ମାତ୍ର ୨ ଦିନରେ ନିୟନ୍ତ୍ରଣ କରିପାରିଥାନ୍ତା । ହେଲେ ପ୍ରଧାନମନ୍ତ୍ରୀ କିନ୍ତୁ ଏହି ନିଆଁକୁ ଲିଭାଇବାକୁ ଚାହିଁଲେନି । ରାହୁଲ କହିଛନ୍ତିି ଯେ, ପ୍ରଧାନମନ୍ତ୍ରୀ ଏହି ନିଆଁକୁ ଲିଭାଇବାକୁ ଚାହୁଁନାହାଁନ୍ତି, ବରଂ ସେ ମଣିପୁରକୁ ଜଳାଇବାକୁ ଚାହୁଁଛନ୍ତି ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଯେତେବେଳେ ମଣିପୁରର କୁକୀ ଅଞ୍ଚଳକୁ ଯାଇଥିଲେ, ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ, ତାଙ୍କ ସୁରକ୍ଷାରେ କୌଣସି ମୈତେୟୀ ସମ୍ପ୍ରଦାୟର ଲୋକ ରହିବେନି । ନଚେତ୍ କୁକୀ ଲୋକମାନେ ତାଙ୍କର ହତ୍ୟା କରିଦେବେ । ସେହିଭଳି ମୈତେୟୀ ଅଞ୍ଚଳକୁ ଗଲାବେଳେ ମଧ୍ୟ କୁକୀ ଲୋକଙ୍କୁ ନେବାକୁ ମନା କରାଯାଇଥିଲା । ମଣିପୁର ଏବେ ଏକ ରାଜ୍ୟ ନୁହେଁ, ବରଂ ଦୁଇଟି ରାଜ୍ୟରେ ବିଭକ୍ତ ହେଇଯାଇଛି । ମଣିପୁରର ହତ୍ୟା କରିିଦିଆଯାଇଛି ବୋଲି ରାହୁଲ କହିଛନ୍ତି ।

ରାହୁଲ କହିଛନ୍ତି ଯେ, ସେ ଦୀର୍ଘ ୧୯ ବର୍ଷ ହେଲା ରାଜନୀତି କରୁଛନ୍ତି । ହେଲେ ଏହି ଦିନ ଭିତରେ ସେ ମଣିପୁରର ଏପରି ଅବସ୍ଥା ଦେଖିନଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଏଭଳି କଥା କହିବା ଉଚିତ୍ ନଥିଲା । ପ୍ରଧାନମନ୍ତ୍ରୀ ହସି ହସି ମଣିପୁରର ମଜାକ୍ ଉଡାଇଛନ୍ତି ବୋଲି ରାହୁଲ କହିଛନ୍ତି ।