ବିହାର ରାଜନୀତିରେ ବଡ ହଲଚଲ : ଆଜି ଶପଥ ନେବେ ନୀତୀଶ କୁମାର; ଅଷ୍ଟମ ଥର ଲାଗି ହେବେ ମୁଖ୍ୟମନ୍ତ୍ରୀ

129

କନକ ବ୍ୟୁରୋ : ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ପୁଣିଥରେ ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ସରକାର ଗଠନ ହେବାକୁ ଯାଉଛି । ଆଜି ଅପରାହ୍ନ ୨ଟାରେ ମହାମେଣ୍ଟ ସରକାରର ଶପଥ ଗ୍ରହଣ ସମାରୋହ ହେବ । ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିପରି ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନୀତୀଶ ଅଷ୍ଟମଥର ବିହାରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ମୋଟ ୭ଟି ଦଳର ସହଯୋଗରେ ସେ ନୂଆ ସରକାର ଗଠନ କରିବାକୁ ଯାଉଛନ୍ତି । ନୀତିଶ କୁମାର ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିଭଳି ନୂଆ ମନ୍ତ୍ରିମଣ୍ଡଳ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି ।

କୁହାଯାଉଛି ନୀତିଶ କୁମାର ମନ୍ତ୍ରିମଣ୍ଡଳରେ ୩୫ ମନ୍ତ୍ରୀ ସାମିଲ ହୋଇପାରନ୍ତି । ଏଥିମଧ୍ୟରୁ ଜେଡିୟୁ ଓ ଆରଜେଡିର ୧୪ ଲେଖାଁଏ ମନ୍ତ୍ରୀପଦ ମିଳିପାରେ । କଂଗ୍ରେସକୁ ୩, ବାମପନ୍ଥୀ ଦଳଙ୍କୁ ୨ ଟି ମନ୍ତ୍ରୀପଦ ମିଳିବା ସମ୍ଭାବନା ରହିଛି । ଜିତନ ରାମ ମାଂଝିଙ୍କ ହାମକୁ ଗୋଟିଏ ମନ୍ତ୍ରୀପଦ ମିଳିପାରେ । ତେେବେ ଏ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଏହା ପୂର୍ବରୁ ମଙ୍ଗଳବାର ବିହାର ରାଜନୀତିରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ନୀତୀଶ ମଙ୍ଗଳବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସନ୍ଧ୍ୟାରେ ରାଜ୍ୟପାଳଙ୍କ ନିକଟକୁ ଯାଇ ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କ ସହ ମୋଟ ୧୬୫ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ମାତ୍ରକେ ନୀତୀଶ କୁମାରଙ୍କ ନାଁରେ ଯୋଡ଼ିହେବ ନୂଆ ରେକର୍ଡ । କେନ୍ଦ୍ର ସରକାରରେ ମନ୍ତ୍ରୀ ରହିବା ଠାରୁ ଆରମ୍ଭ କରି ବିହାରରେ ମୁଖ୍ୟମନ୍ତ୍ରୀ ପଦ ଯାଏଁ ସେ ଏକାଧିକ ଥର ଶପଥ ନେଇସାରିଛନ୍ତି । ହୁଏତ ଶପଥ ନେବାରେ ତାଙ୍କ ସମକକ୍ଷ ଆଉ କେହି ହୋଇନଥିବେ । ତାଙ୍କ ଠାରୁ ଅଧିକ ସମୟ ଧରି ଅନେକ ନେତା ମୁଖ୍ୟମନ୍ତ୍ରୀ ରହିଆସରିଛନ୍ତି । ପଶ୍ଚିମବଙ୍ଗର ଜ୍ୟୋତି ବାସୁଙ୍କ ଠାରୁ ଓଡ଼ିଶାରେ ନବୀନ ପଟ୍ଟନାୟକ ଏବଂ ସିକିମର ପୱନ ଚାମଲିଙ୍ଗ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । କିନ୍ତୁ କେହି ବି ନୀତୀଶଙ୍କ ଭଳି ଏତେଥର ଶପଥ ନେଇନାହାନ୍ତି । ଗତ ଦୁଇଟି ବିଧାନସଭାରେ ସେ ଦୁଇଥର ଲେଖାଏଁ ଶପଥ ନେଇଛନ୍ତି । ଏଥର ମଧ୍ୟ ସେ ଦ୍ୱିତୀୟ ଥର ଶପଥ ନେବାକୁ ଯାଉଛନ୍ତି ।

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ୭ଥର ଶପଥ ନେଇସାରିଛନ୍ତି । ସର୍ବପ୍ରଥମେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । କିନ୍ତୁ ବହୁମତ ହାସଲ ନକରିବାରୁ ସାତଦିନ ପରେ ଇସ୍ତଫା ଦେଇଥିଲେ । ୨୦୦୫ରେ ଦୁଇଥର ନିର୍ବାଚନ ହୋଇଥିଲା । ପ୍ରଥମଥର କୌଣସି ଦଳ ସରକାର ଗଠନ କରିପାରିଲେ ନାହିଁ ଏବଂ ଦ୍ୱିତୀୟଥର ବିଜେପି-ଜେଡିୟୁ ମେଂଟକୁ ବହୁମତ ମିଳିଥିଲା । ଯାହା ପରେ ନୀତୀଶ ଦ୍ୱିତୀୟଥର ଶପଥ ନେଲେ ଏବଂ ଏହି ସରକାର ୫ ବର୍ଷ ଧରି ଚାଲିଥିଲା । ୨୦୧୦ରେ ନୀତୀଶଙ୍କ ପାର୍ଟିକୁ ପ୍ରଚଣ୍ଡ ବହୁମତ ମିଳିଥିଲା । ଜେଡିୟୁ ଓ ବିଜେପିକୁ ୨୪୩ରୁ ୨୦୬ ଆସନ ମିଳିଥିଲା । ସେଥିମଧ୍ୟରୁ କେବଳ ଜେଡିୟୁ ପାଇଥିଲା ୧୧୫ ସିଟ୍ । ୨୦୧୪ରେ ସେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ କିଛି ଦିନ ପରେ ସେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଏହା ପରେ ୨୦୧୫ରେ ଆରଜେଡି ସହ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିଥିଲେ ଏବଂ ପଂଚମଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ୨୦୧୭ରେ ସେ ପୁଣି ଇସ୍ତଫା ଦେଇଥିଲେ ଏବଂ ଆରଜେଡିର ହାତ ଛାଡ଼ି ପୁଣି ଏନଡିଏକୁ ଫେରିଥିଲେ । ଏଥର ସେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୨୦ ବିଧାନସଭା ନିର୍ବାଚନ ପରେ ସେ ସପ୍ତମଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ରମନ୍ତ୍ରୀ ଭାବେ ନେଇଥିବା ଶପଥକୁ ଯଦି ମିଶାଯାଏ, ତେବେ ଏହି ସଂଖ୍ୟା ବହୁତ ଅଧିକ ହେବ । କେନ୍ଦ୍ର ମନ୍ତ୍ରୀ ଭାବେ ସେ ଅତିକମରେ ୪ଥର ଶପଥ ନେଇଛନ୍ତି ।