ବିରୋଧୀଙ୍କୁ ଏକାଠି କରିବାକୁ ନୀତିଶଙ୍କ ମିଶନ ଦିଲ୍ଲୀ । ସେପ୍ଟେମ୍ବର ୫ ରେ ଅନେକ ନେତାଙ୍କ ସହ କରିବେ ବୈଠକ

95

କନକ ବ୍ୟୁରୋ : ବିଜେପି ଠାରୁ ସଂପର୍କ ତୁଟାଇବା ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତୀୟ ରାଜନୀତିରେ ନିଜର କ୍ଷେତ୍ର ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛନ୍ତି । ସେ ଚଳିତମାସ ୫ ତାରିଖରେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିବା ପରେ ଏବେ ଦେଶ ରାଜନୀତି ସରଗରମ ହେବାରେ ଲାଗିଛି । କୁହାଯାଉଛି କି ନୀତିଶ ଦିଲ୍ଲୀରେ ପହଂଚିବା ପରେ କଂଗ୍ରେସର ଶୀର୍ଷ ନେତାଙ୍କ ସମେତ କିଛି ବିରୋଧୀ ଦଳର ନେତୃତ୍ୱଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଏହି ଗସ୍ତକୁ ବିରୋଧୀଙ୍କୁ ଏକଜୁଟ କରିବାର ପ୍ରୟାସ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ମୁତାବକ ନୀତିଶ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ । ଏହି ସମୟ ମଧ୍ୟରେ ସେ ସୋନିଆ ଗାନ୍ଧୀଙ୍କ ସହ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ଭେଟି ସେମାନଙ୍କୁ ଏକଜୁଟ ହେବାକୁ ପରାମର୍ଶ ଦେବେ । ଏହାସହ ଆଗାମୀ ଦିନରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ନୀତିଶ କୁମାର ସାରା ଦେଶରେ ଏକ ଅଭିଯାନ ଚଳାଇବେ ବୋଲି କୁହାଯାଉଛି । ଏହି ଗସ୍ତକୁ ଅଭିଯାନର ପ୍ରଥମ ପର୍ଯ୍ୟାୟ ଭାବେ ଦେଖା ଯାଉଛି ।

ସେପଟେ ଆଜି (ଶନିବାର) ଠାରୁ ବିହାରରେ ଶାସକ ଜେଡିୟୁର ଦୁଇଦିନିଆ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ସାମୁହିକ ଭାବେ ବିଜେପିକୁ ମୁକାବିଲା କରିବା ସହ ବଢୁଥିବା ଦରଦାମ, ବେରୋଜଗାରୀ ଉପରେ ମୁଖ୍ୟତଃ ଚର୍ଚ୍ଚା ହେବ ।

ଅନ୍ୟପଟେ ଜେଡିୟୁ ନେତା ତଥା ରାଜ୍ୟସଭା ସାଂସଦ ଲଲନ ସିଂ କହିଛନ୍ତି କି ବିଜେପି ଜେଡିୟୁ ଚିନ୍ତା ଛାଡି ୨୦୨୪ ଚିନ୍ତା କରୁ । ଏହାସହ ତୃତୀୟ ସାମୁଖ୍ୟ ଗଠନର କୌଣସି ଆବଶ୍ୟକତା ନଥିବା କଥା ଲଲନ ସିଂ କହିବା ସହ ସବୁ ବିରୋଧୀ ଦଳଙ୍କୁ ଏକଜୁଟ କରି ବିଜେପିର ମୁକାବିଲା କରିବାକୁ ସେ ଆହ୍ୱାନ ଦେଇଛନ୍ତି ।