ଦକ୍ଷିଣ ଓଡିଶା ପରେ ଉପକୂଳରେ ବଡ ଲଢ଼େଇ । କାଲି ଭୁବନେଶ୍ୱରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ । ଟକ୍କର ଦେବାକୁ ରଣନୀତି କରୁଛି ବିଜେଡି ।

79

କନକବ୍ୟୁରୋ :ପ୍ରଚାରରେ କମ୍ପିବ ରାଜଧାନୀ  । ଆରପାର ଲଢେଇ ଭିତରେ ଆସନ୍ତାକାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମ ମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ମେଗା ରୋଡ ଶୋ କରି ଦମ ଦେଖାଇବେ ମୋଦୀ । ସେପଟେ ମୋଦୀଙ୍କ ସୋ କୁ କାଉଣ୍ଟର କରିବାକୁ ବିଜେଡି ମଧ୍ୟ ପ୍ରସ୍ତୁତ ହେଉଛି । ଶୁକ୍ରବାର କିଛି ଏହିଭଳି ଜନସମୁଦ୍ର ପାଲଟିବ ଜନପଥ ।

କାରଣ ରାଜ୍ୟରେ କ୍ଷମତା ଦଖଲ ସହ କେନ୍ଦ୍ରରେ ୪୦୦ ପାରର ନାରା ନେଇ ଗୋଟିଏ ସପ୍ତାହରେ ଦୁଇ ଦୁଇଥର ଓଡିଶା ଆସିବା ପରେ ଶୁକ୍ରବାର ପୁଣି ଆସୁଛନ୍ତି ମୋଦୀ । ରାଜଧାନୀ ଭୁବନେଶ୍ୱରରେ କରିବେ ମେଗା ରୋଡ ସୋ । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସିଧା ପାର୍ଟି ଅଫିସରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ’ରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି କରିଛି ରାଜ୍ୟ ବିଜେପି । ଶୁକ୍ରବାର ଭୁବନେଶ୍ୱରରେ ରାତ୍ରୀଯାପନ କରି ଶନିବାର କନ୍ଧମାଳ, ବରଗଡ ଏବଂ ବଲାଙ୍ଗୀରରେ ବିଶାଳ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ ମୋଦୀ ।

ମୋଦୀଙ୍କ କ୍ରେଜକୁ କାଉଣ୍ଟର କରିବା ପାଇଁ ବିଜେଡି ରଣନୀତି । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’କୁ ନେଇ ବିଜେପି ଜୋରଦାର ପ୍ରସ୍ତୁତି କରୁଥିବା ବେଳେ, ବିଜେଡି ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ଦଳୀୟ ନିଷ୍ପତି ଅନୁସାରେ ବିଜେଡିର ଯୋଜନା ରାଜଧାନୀର ବିଭିନ୍ନ ସ୍ଥାନରେ ସମାବେଶ ଓ ରାଲି କରିବା ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକାମ୍ର, ମଧ୍ୟ ଏବଂ ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଇଛି ।

କେବଳ ସେତିକି ନୁହେଁ ଆସନ୍ତା ୧୬ ତାରିଖରେ ରାଜଧାନୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ରୋଡ ସୋ’ର ବ୍ଲୁ ପ୍ରିଂଟ ମଧ୍ୟ ପ୍ରସ୍ତୁତ କରିଛି ଦଳ । ପାଗ ପରିବର୍ତନ ହେଲା ଭଳି ରାଜ୍ୟ ରାଜ୍ୟନୀତିର ପାଣିପାଗ ମଧ୍ୟ ବଦଳିଲାଣି । ଗୋଟେ ପଟେ ମୋଦୀ ଓ କେନ୍ଦ୍ରୀୟ ନେତୃତ୍ୱ ଘନଘନ ଆକ୍ରମଣ କରି ଓଡିଶାରେ ସରକାର ଗଢିବା ପାଇଁ ରଣହୁଙ୍କାର ଦେଉଛନ୍ତି । ଅନ୍ୟପଟେ ନବୀନ ମଧ୍ୟ ବିରୋଧୀଙ୍କୁ ମୁକାବିଲାର ମୈଦାନରେ କଡା ଜବାବ ଦେଉଛନ୍ତି । ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଆଗକୁ ଆରପାରର ଲଢେଇ ହେବ ।