କେରଳରେ ନିପା ଭାଇରସ ଭୟ । ସତର୍କ କରାଇଲା ଆଇସିଏମଆର, କରୋନାଠୁ ଅଧିକ ଘାତକ ନିପା

255

କନକ ବ୍ୟୁରୋ : ୪ବର୍ଷ ପରେ କେରଳକୁ ଫେରିଛି ଭୟର ଭାଇରସ ନିପା । ୩ଜଣଙ୍କ ମୃତ୍ୟୁ ଓ ୭ରୁ ଅଧିକ ସଂକ୍ରମିତ ଚିହ୍ନଟ ପରେ ଭୟ ବଢୁଛି ଓ ଭାଇରସକୁ ନେଇ ଆଶଙ୍କା ମଧ୍ୟ ଘନୀଭୂତ ହେଉଛି । ଏହା ଭିତରେ ସତର୍କ କରାଇଛି ଆଇସିଏମଆର । ଆଇସିଏମଆର ଡିଜି ରାଜୀବ ବହଲ କହିଛନ୍ତି କରୋନାଠୁ ନିପା ଭାଇରସରେ ମୃତ୍ୟୁ ହାର ଅଧିକ ରହିବା ଆଶଙ୍କା ରହିଛି । ଯେଉଁଠି କରୋନାର ମୃତ୍ୟୁହାର ୨ରୁ ୩% ରହୁଥିଲା ସେଠାରେ ନିପା ସଂକ୍ରମିତଙ୍କ ମୃତ୍ୟୁ ହାର ୩୦ରୁ ୪୦% ଆଶଙ୍କା ରହିଛି । ଏଥିସହ ଆଇସିଏମଆର ଡିଜି କହିଛନ୍ତି ଖୁବ ଶିଘ୍ର ନିପା ଟିକା ପ୍ରସ୍ତୁତି ଉପରେ କାମ ଚାଲିଛି ଓ ଖୁବ ଶିଘ୍ର ମିଳିବା ସମ୍ଭାବନା ମଧ୍ୟ ରହିଛି ।

ନିପା ଭାଇରସ ସଂକ୍ରମଣ ବୃଦ୍ଧି ହେଉଛି । ଏହାର ମୁକାବିଲା ପାଇଁ ସରକାର ଅଷ୍ଟ୍ରେଲିଆରୁ ୨୦ ଡୋଜର ମୋନୋକଲୋନାଲ ଆଟିଂବଡି ଆଣିବେ । ୨୦୧୮ରେ କିଛି ଆଟିଂବଡି ଅଣାଯାଇଥିବାବେଳେ ଏଥିରୁ ନିପା ସଂକ୍ରମିତ ସୁସ୍ଥ ହୋଇଥିଲେ । ସେପଟେ କେରଳରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ୨୪ ସେପ୍ଟମ୍ବର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜଜ କେରଳରେ ନିପାର ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି । କୋଝିକୋଡ, ତ୍ରିଶୁର, ମଲ୍ଲପୁରମ, ୟାଏନାଡରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୯୫୦ ଜଣଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୨୧୩ ଜଣ ବିପଦପୂର୍ଣ୍ଣ ବର୍ଗରେ ଅଛି । ୨୮୭ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଯୋଗାଯୋଗ ତାଲିକାରେ ଅଛନ୍ତି । ଚାରି ଜଣ ବିପଦପୂର୍ଣ୍ଣ ବ୍ୟକ୍ତିଙ୍କୁ ଏକ ଘରୋଇ ଡାକ୍ତରଖାନାରେ ରଖାଯାଇଛି ଏବଂ ରୋଗୀଙ୍କ ସହ ଯୋଗାଯୋଗ କରିଥିବା ୧୭ ଜଣଙ୍କୁ କୋଝିକୋଡ ମେଡିକାଲ କଲେଜରେ ନଜର ରଖାଯାଇଛି । ଆଗକୁ ନିପାର ସ୍ଥିିତି ସଂଗୀନ ହୋଇପାରେ । ତେଣୁ ପର୍ବପର୍ବାଣୀ ଓ ଉତ୍ସବ ପାଇଁ କଟକଣା ଲଗାଯାଇଛି । ସବରୀମାଳା ତୀର୍ଥଯାତ୍ରୀ ଓ ଅନ୍ୟାନ୍ୟ କାର୍ଯକ୍ରମ ପାଇଁ ଗାଇଡଲାଇନ ଜାରି କରାଯାଇଛି ।ସେପଟେ କେରଳର ପଡୋଶୀ ରାଜ୍ୟ କର୍ଣ୍ଣାଟକରେ ଆଡଭାଇଜରୀ ଜାରି କରାଯାଇ କେରଳ ନଯିବାକୁ ପରାମର୍ଶ ଦିଆଯାଇଛି