ନବ ଦାସଙ୍କ ଝିଅ ଦୀପାଳିଙ୍କୁ ଟିକେଟ୍ ଦେଲା ବିଜେଡି । ଦଳ ଖେଳିଲା ମହିଳା ଓ ଅନୁକମ୍ପା କାର୍ଡ । ବିଜେପି ଓ କଂଗ୍ରେସ କାହାକୁ କରିବେ ପ୍ରାର୍ଥୀ ?

274

କନକ ବ୍ୟୁରୋ: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ଝାରସୁଗୁଡା ଉପନିର୍ବାଚନ ପାଇଁ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଟିକେଟ ଦେଇଛି ବିଜେଡି । ଦୀପାଳି ଦାସଙ୍କ ନାଁକୁ ଦଳ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ତେବେ ନବ ଦାସଙ୍କ ହତ୍ୟା ପରେ ଦୀପାଳିଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା । ଦିପାଳୀ ବି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସକ୍ରିୟ ଥିଲେ । ତେବେ ବିଜେଡି ଦିପାଳୀଙ୍କୁ ପ୍ରାର୍ଥୀ କରିବା ପରେ, ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

  • ବିଜେଡିର ଝାରସୁଗୁଡ଼ା ପ୍ରାର୍ଥୀ ଦୀପାଳି ଦାସ
  • ଗଡ଼ ଦଖଲ ପାଇଁ ମହିଳା ଓ ଅନୁକମ୍ପା କାର୍ଡ!

ଝାରସୁଗୁଡା ଉପ ନିର୍ବାଚନ ତାରିଖ ଘୋଷଣା ହେବାର ଦିନକ ପରେ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି । ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏନେଇ ବିଧିବଦ୍ଧ ଚିଠି ଜାରି କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡି ସୁପ୍ରିମୋ । ତେବେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ବହୁ ପୂର୍ବରୁ ଦୀପାଳିଙ୍କ ନାଁରେ ମୋହର ବାଜିଛି ।

ବାପାଙ୍କ ଦେହାନ୍ତ ପରେ ସେ ମଧ୍ୟ ନିର୍ବାଚନୀ କ୍ଷେତ୍ରରେ ବେଶ ସକ୍ରିୟ ହୋଇ ପଡିଥିଲେ । ଗତକାଲି ରାମ ନବମୀରେ ହଜାର ହଜାର ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିବା ସହ ବାଡି ଓ ଖଣ୍ଡା ବୁଲାଇଥିଲେ ଦୀପାଳି । ଶୋଭାଯାତ୍ରା ବେଳେ ସାଙ୍ଗରେ ବି ଥିଲେ ଭାଇ ବିଶାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାମକୁ ନେଇ ଲୋକଙ୍କ ପାଖକୁ ଯିବେ ଏବଂ ବାପାଙ୍କ ଆଦର୍ଶ ଓ ସଂସ୍କାରକୁ ପୁଞ୍ଜି କରି ଲଢିବେ ବୋଲି କହିଛନ୍ତି ଦୀପାଳି ।

ବିଜେଡିରୁ ଦୀପାଳି ପ୍ରାର୍ଥୀ ହୋଇଥିବାବେଳେ ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଝାରସୁଗୁଡାରେ ସକ୍ରିୟ ଥିବା ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ନାଁ ଚର୍ଚ୍ଚାର ଆଗରେ ରହିଛି । ତେବେ ୨୦୧୯ରେ ପରାଜିତ ପ୍ରାର୍ଥୀ ଦୀନେଶ ଜୈନ ଓ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରୁ କାହାକୁ ଆଗକୁ ଆଣିବ ତା ଉପରେ ନଜର ରହିଛି । ସେପଟେ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଏକ ୫ ଜଣିଆ ଟିମ୍ ଗଠନ କରିଛି । ଖୁବଶୀଘ୍ର ଟିମ୍ ଝାରସୁଗୁଡା ଗସ୍ତ କରି ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିବା ପରେ ଚୂଡାନ୍ତ ନିଷ୍ପତି କରିବ । କଂଗ୍ରେସ ଦଳରେ ଏକାଧିକ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।

୨୦୧୯ ପରେ ଝାରସୁଗୁଡାକୁ ମିଶାଇ ମୋଟ୍ ୮ଟି ଉପନିର୍ବାଚନ ହେବାକୁ ଯାଉଛି । ଏହା ମଧ୍ୟରୁ ୫ଟି ଉପନିର୍ବାଚନରେ ମହିଳା କାର୍ଡ ଖେଳିଛି ବିଜେଡି । କେବଳ ଧାମନଗରକୁ ବାଦଦେଲେ ଅନ୍ୟସବୁଠି ମହିଳା କାର୍ଡ ସହ ଅନୁକମ୍ପା ଭୋଟ୍ ବିଜୁ ଜନତା ଦଳ ସପକ୍ଷରେ ଯାଇଛି । ତେଣୁ ଏଥର ମଧ୍ୟ ବିଜୟ ନେଇ ଦମ୍ଭୋକ୍ତି କରିଛନ୍ତି ବିଜେଡି ନେତା । ସୂଚନାଯୋଗ୍ୟ ଯେ, ବିଜେଡି ପ୍ରତିଷ୍ଠା ଦିବସରେ ମହିଳାମାନେ ନେତୃତ୍ୱ ନେବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସମସ୍ତ ଉପ ନିର୍ବାଚନରେ ମହିଳାଙ୍କୁ ପ୍ରାର୍ଥୀ କରି ୨୦୨୪ ପାଇଁ ଏକ ବଡ ବାର୍ତ୍ତା ଦେବାକୁ ଚାହିଁଛନ୍ତି ବିଜେଡି ସୁପ୍ରିମୋ ।