କରୋନା କାଳରେ ବିକଳ୍ପ ପରୀକ୍ଷା ପଦ୍ଧତି ପାଇଁ ସର୍କୁଲାର ଜାରି କଲା ମାଧ୍ୟମିକ ଶିକ୍ଷା ପରିଷଦ । ୨୦୨୧-୨୨ ଶିକ୍ଷାବର୍ଷକୁ ଦୁଇଟି ଟର୍ମରେ କରାଗଲା ବିଭକ୍ତ, ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ଯୋଜନା କଲା ବୋର୍ଡ ।

394

କନକ ବ୍ୟୁରୋ : କରୋନା କାଳରେ ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ୨୦୨୧-୨୨ ଶିକ୍ଷା ବର୍ଷକୁ ଦୁଇ ଟର୍ମରେ ଭାଗ କରାଯାଇଛି । ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ । ପ୍ରତି ଟର୍ମରେ ପିଲା ୫୦ ପ୍ରତିଶତ ପାଠ ପଢିବେ ଓ ପରୀକ୍ଷା ଦେବେ । ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ । ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୁପରେଖ ରହିବ, ସେନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ ବୋର୍ଡ ।

କରୋନା ସ୍ଥତି ପାଇଁ ଗତବର୍ଷ ସ୍କୁଲ ମାନଙ୍କରେ ପରୀକ୍ଷ ବାତିଲ ହୋଇଯାଇଥିଲା । ଏହାପରେ ସ୍ୱତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଗଲା । ତେବେ ଆଗକୁ ଯେପରି ଏଭଳି ଅସୁବିଧା ନଉପୁଜେ ସେଥିପାଇଁ ନୁଆ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି ।ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।

୨୦୨୧-୨୨ର ଶିକ୍ଷାବର୍ଷ ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ସରିବ । ଏହାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି । ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ । ପାଠ୍ୟକ୍ରମର ୫୦ ପ୍ରତିଶତ ପ୍ରତି ଟର୍ମରେ ପଢ଼ାଯିବ । ଗତବର୍ଷ ଭଳି ପାଠ୍ୟକ୍ରମ କମ୍ ରହିବ । ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୁପରେଖ ରହିବ, ସେନେଇ ବୋର୍ଡ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ ।

ସ୍କୁଲରେ ପିଲାଙ୍କ ପାଠପଢ଼ା ନେଇ ସମୟ ସମୟରେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରାଯିବ । ମୋଟ୍ ୪ଟି ଆଭ୍ୟନ୍ତରୀଣ ମୂଲ୍ୟାୟନ ବା ଇଂଟରନାଲ ଏସେସମେଂଟ କରାଯିବ । ଅର୍ଥାତ୍ ପ୍ରତି ଟର୍ମ ଭିତରେ ଦୁଇଟି ଆଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବାର ବ୍ୟବସ୍ଥା କରାଯାଉଛି । ଉଭୟ ନବମ ଓ ଦଶମ ଶ୍ରେଣୀ ପାଇଁ ଏହି ମୂଲ୍ୟାୟନ ହେବ । ଦଶମ ଶ୍ରେଣୀ ପାଇଁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ପ୍ରଥମ ଆଭ୍ୟନ୍ତରୀଣ ମୂଲ୍ୟାୟନ, ନଭେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ, ଜାନୁଆରୀ ଦ୍ୱିତୀୟ ସପ୍ତାହରେ ତୃତୀୟ ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଚତୁର୍ଥ ଅଭ୍ୟାନ୍ତରୀଣ ମୂଲ୍ୟାୟନ କରାଯିବ ।

ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶରେ ଆଭ୍ୟନ୍ତରୀଣ ମୂଲ୍ୟାୟନ ୨୦ ପ୍ରତିଶତ ଗୁରତ୍ୱ ବହନ କରିବ । ସେହିଭଳି ପ୍ରଥମ ଟର୍ମର ପରୀକ୍ଷା ଫଳ ଚୂଡ଼ାନ୍ତ ପରୀକ୍ଷା ଫଳରେ ୩୦ ପ୍ରତିଶତ ଗୁରୁତ୍ୱ ବହନ କରିବ । ତେବେ ଦ୍ୱିତୀୟ ଟର୍ମର ପରୀକ୍ଷା ଫଳ ଚୂଡ଼ାନ୍ତ ପରୀକ୍ଷାଫଳ ପ୍ରକାଶ ସମୟରେ ୫୦ ପ୍ରତିଶତ ଗୁରୁତ୍ୱ ବହନ କରିବ । ପ୍ରତି ଟର୍ମ ଶେଷରେ ଏକ ପରୀକ୍ଷା କରାଯିବ । ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ । ଆଉ ଏଥିପାଇଁ ପିଲାଙ୍କୁ ଅନଲାଇନରେ ଫର୍ମ ପୂରଣ କରିବାକୂ ପଡ଼ିବ ।

ନଭେମ୍ବର ଶେଷ ସପ୍ତାହରେ ପ୍ରଥମ ଟର୍ମ ପରୀକ୍ଷା ହେବ । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ ଟର୍ମ ପରୀକ୍ଷା ହେବ । ପ୍ରଥମ ଟର୍ମ ପାଠପଢ଼ା ଶେଷ ପରେ ପରୀକ୍ଷା ହେବାକୁ ଥିବା ବେଳେ ଏହି ପରୀକ୍ଷା ଏକ ଘଂଟାର ହେବ । ଦଶମ ଶ୍ରେଣୀ ପାଇଁ ୫୦ ମାର୍କର ହେବାକୁ ଥିବା ଏହି ପରୀକ୍ଷାରେ ମଲଟିପଲ ଚଏସର ହେବ । ସେହିପରି ଦ୍ୱିତୀୟ ଟର୍ମ ପାଠପଢ଼ା ପରେ ଚୂଡ଼ାନ୍ତ ପରୀକ୍ଷା ହେବ । ଏଥିରେ ୫୦ ମାର୍କର ମଲଟିପଲ ଚଏସ ପ୍ରଶ୍ନ ରହିବ ଓ ୨୦ ମାର୍କର ଦୀର୍ଘ ଉତର ପ୍ରଶ୍ନର ବ୍ୟବସ୍ଥା ରହିବ । ପୁରା ପାଠ୍ୟକ୍ରମରୁ ଏହି ସବୁ ପ୍ରଶ୍ନ ଆସିବ ।

ଯଦି ପୁଣି କୋଭିଡ ଭଳି ସ୍ଥିତି ଉପୁଜେ, ଆଉ ପିଲାମାନେ ପରୀକ୍ଷା ହଲରେ ପରୀକ୍ଷା ଦେଇ ନପାରନ୍ତି, ତାହେଲେ ସେମାନେ ଘରୁ ପରୀକ୍ଷା ଦେଇପାରିବେ । ଆଉ ଏହାର ମୂଲ୍ୟାୟନ ଏକ ନିରପେକ୍ଷ ସ୍କୁଲରେ କରାଯିବ ଓ ଏହି ଫଳ ବୋର୍ଡ ପୋର୍ଟାଲରେ ଅପଲୋଡ କରାଯିବ । ତେବେ କେଉଁ କେଉଁ ନିରପେକ୍ଷ ସ୍କୁଲରେ ମୂଲ୍ୟାୟନ ହେବ ତାହା ଜିଲ୍ଲା ଶିକ୍ଷାଧିକାରୀ ନିଷ୍ପତି ନେବେ ।

ଯଦି ଦଶମ ଶ୍ରେଣୀର ଉଭୟ ପ୍ରଥମ ଓ ଦ୍ୱିତୀୟ ଟର୍ମ ପରୀକ୍ଷା ହୁଏ, ତାହେଲେ ଆଭ୍ୟନ୍ତରୀଣ ମୂଲ୍ୟାୟନକୁ ୨୦ ପ୍ରତିଶତ ଗୁରୁତ୍ୱ, ପ୍ରଥମ ଟର୍ମ ଫଳାଫଳକୁ ୩୦ ପ୍ରତିଶତ ଗୁରୁତ୍ୱ ଓ ଦ୍ୱିତୀୟ ଟର୍ମ ଫଳାଫଳକୁ ୫୦ ପ୍ରତିଶତ ଗୁରୁତ୍ୱ ମିଳିବ । ଆଉ ଯଦି ଦୁଇଟିଯାକ ପରୀକ୍ଷା ହୋଇ ନପାରେ ତାହେଲେ ଆଭ୍ୟନ୍ତରୀଣ ମୂଲ୍ୟାୟନ ୨୦ ପ୍ରତିଶତ, ପ୍ରଥମ ଟର୍ମ ୩୦ ପ୍ରତିଶତ ଓ ଦ୍ୱିତୀୟ ଟର୍ମ ୫୦ ପ୍ରତିଶତ ଗୁରୁତ୍ୱ ବହନ କରିବ । ଏହା ସହ ଜଣେ ଛାତ୍ରର ପୂର୍ବ ୫ ବର୍ଷର ପରୀକ୍ଷା ଫଳକୁ ମଧ୍ୟ ବିଚାରକୁ ନିଆଯିବ ।