ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ଅସ୍ଥାୟୀରୂପେ ନିଲମ୍ବିତ କଲା କୁସ୍ତି ସଂଘ, ସୋନମ ମଲ୍ଲିକଙ୍କୁ ବି ନୋଟିସ

475

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଭାରତରୁ ଖେଳିଥିବା ମହିଳା କୁସ୍ତଯୋଦ୍ଧା ବିନେଶ ଫୋଗଟଙ୍କୁ କୁସ୍ତିସଂଘ ଅସ୍ଥାୟୀ ଭାବେ ନିଲମ୍ବିତ କରିଛି । ସଂଘ ପକ୍ଷରୁ ଅନୁଶାସନ ପାଳନ କରୁନଥିବା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଏହାସହ ଅନ୍ୟଜଣେ କୁସ୍ତିଯୋଦ୍ଧା ସୋନମ ମଲ୍ଲିକଙ୍କୁ ବି ନୋଟିସ କରାଯାଇଛି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଟୋକିଓ ଅଲିମ୍ପିକ୍ସର କ୍ୱାଟର ଫାଇନାଲ ମ୍ୟାଚରେ ଫୋଗଟ ନିୟମ ଉଲଙ୍ଘନ କରିଥିଲେ । ସେ ଭାରତୀୟ ଦଳର ଅଧିକାରୀକ ପ୍ରଯୋଜକ ‘ଶିବନରେଶ’ଙ୍କ ନାମ ବଦଳରେ ‘ନାଇକୀ’ର ନାମ ଲଗାଇଥିଲେ । କେବଳ ସେତିକି ନୁହେଁ ଖେଳ ସମୟରେ ସେ ଅଲିମ୍ପିକ୍ସ ଆୟୋଜକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଖେଳ ଗ୍ରାମରେ ରହି ନଥିଲେ ଓ ଭାରତୀୟ ଖେଳାଳୀଙ୍କ ସହ ଟ୍ରେନିଂରେ ଭାଗ ନେଇ ନଥିଲେ । ଏହା ଅନୁଶାସନ ହୀନତା ଓ ଏହି କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଇଛି । ଏହି ନିଲମ୍ବନ ପରେ ସେ କୌଣସି ରାଷ୍ଟ୍ରୀୟ କିମ୍ବା ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ନାହିଁ । ଏହାସହ ଏହି ନିଲମ୍ବନ ଆଦେଶ ଉପରେ ନିଜ ପକ୍ଷ ରଖିବାକୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

ଏନେଇ ସଂଘର ଜଣେ ଅଧିକାରୀ କହିଛନ୍ତି କି ବିନେଶ ନିଜ ସାଥୀ ଖେଳାଳୀ ସୋନମ, ଅଂଶୁ ମଲ୍ଲିକ ଓ ସୀମା ବିର୍ଲାଙ୍କ ପାଖ ରୁମରେ ରହିବାକୁ ମନା କରିଦେଇଥିଲେ ଓ ଏନେଇ ସେ ହୋ ହାଲ୍ଲା କରିଥିଲେ ।

କହିରଖୁ କି ବିନେଶ ଫୋଗଟ ଏଥର ଭାରତୀୟ ଖେଳାଳୀଙ୍କ ମଧ୍ୟରୁ ପଦକ ଆଣିବାରେ ସବୁଠାରୁ ଶୀର୍ଷ ଦାବିଦାର ଥିଲେ । ସେ ହଙ୍ଗେରୀରୁ ଟ୍ରେନିଂ ନେଇଥିଲେ । ହେଲେ ସେ କ୍ୱାଟରଫାଇନାଲରେ ବେଲାଋଷର ବନେସାଙ୍କ ଠାରୁ ପରାଜିତ ହୋଇଥିଲେ । ଅନ୍ୟପଟେ କୁସ୍ତିସଂଘ ବି ୧୯ ବର୍ଷିୟ ମହିଳା କୁସ୍ତିଯୋଦ୍ଧା ସୋନମଙ୍କୁ ନୋଟିସ ଜାରି କରି ଜବାବ୍ ମାଗିଛନ୍ତି ।