ଅଗଷ୍ଟ ୧୭ରୁ ମହାରାଷ୍ଟ୍ରରେ ଖୋଲିବ ସ୍କୁଲ, ସହର ଓ ଗ୍ରାମାଞ୍ଚଳ ପାଇଁ ଅଲଗା ଅଲଗା ନିୟମ

119

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ସ୍କୁଲଗୁଡିକୁ ଖୋଲିବାକୁ ଏବେ ରାଜ୍ୟ ସରକାରମାନେ ପ୍ରୟାସ ଆରମ୍ଭ କରିଛନ୍ତି । କିଛି ରାଜ୍ୟରେ ସ୍କୁଲ ଖୋଲିଯାଇଥିବା ବେଳେ କରୋନା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ଅଗଷ୍ଟ ୧୭ ତାରିଖରୁ ସ୍କୁଲି ଖୋଲିବ ବୋଲି ଜଣାପଡିଛି । ହେଲେ ମହାରାଷ୍ଟ୍ର ସରକାର ସହରାଞ୍ଚଳ ସ୍କୁଲ ଓ ଗ୍ରାମାଞ୍ଚଳ ସ୍କୁଲ ଖୋଲିବା ନେଇ ଅଲଗା ଅଲଗା ନିୟମ ଜାରି କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅଗଷ୍ଟ ୧୭ ରୁ ରାଜ୍ୟର ଗ୍ରାମାଞ୍ଚଳ ସ୍କୁଲଗୁଡିକ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ଯାଉଥିବା ବେଳେ ସହରାଞ୍ଚଳରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ।

କହିରଖୁ କି ଏହାପୂର୍ବରୁ ଅନେକ ରାଜ୍ୟର ସରକାର ନିଜ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଦିଶା ନିର୍ଦ୍ଦେଶ ଜାରି କରିଦେଇଛନ୍ତି । ଏହି କ୍ରମରେ ଦେଶର ସବୁଠାରୁ ବଡ ରାଜ୍ୟ ୟୁପିରେ ଅଗଷ୍ଟ ୧୬ ତାରିଖରୁ ସ୍କୁଲ ଖୋଲିବ । ହେଲେ ୫୦ ପ୍ରତିଶତ ଉପସ୍ଥିତ ସହିତ ସ୍କୁଲ ସଂଚାଳନ କରାଯିବ । ଏଥିରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ପିଲାମାନେ ସ୍କୁଲ ଆସିବାକୁ ଚାହୁଁଥିରେ ଅବିଭାବକଙ୍କ ଅନୁମତି ଆଣିବାକୁ କୁହାଯାଇଛି । ଏହା ବ୍ୟତୀତ ମହାରାଷ୍ଟ୍ର, ପଞ୍ଜାବ, ହିମାଚଳ ପ୍ରଦେଶ,ହରିଆଣା, ଉତ୍ତରାଖଣ୍ଡ,ଛତିଶଗଡ, କର୍ଣ୍ଣାଟକ, ବିହାର, ଗୁଜୁରାଟ ସରକାର ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ପଞ୍ଜାବରେ ସ୍କୁଲ ଖୋଲାଯିବା ପରେ ପିଲାମାନେ କରୋନା ସଂକ୍ରମିତ ହୋଇଥିବା ଖବର ଆସିବା ପରେ ଏହାକୁ ନେଇ ଅନ୍ୟରାଜ୍ୟମାନେ ବି ଚିନ୍ତା ପ୍ରକଟ କରିଛନ୍ତି ।