ଏନଡିଏର ଏହି ସହଯୋଗୀ ଦଳ ଏବେ ବିଜେପିକୁ କଲା ବିରୋଧ । ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବ ବୋଲି ଘୋଷଣା

470

କନକ ବ୍ୟୁରୋ : ମିଜୋରାମର ନର୍ଥ-ଇଷ୍ଟ ଡେମୋକ୍ରେଟିକ ଅଲାଏନ୍ସର ସହଯୋଗୀ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ କେନ୍ଦ୍ରରେ ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବ । ଏନେଇ ଲୋକସଭା ସାଂସଦ ସି ଲାଲରେସାଙ୍ଗା ସୂଚନା ଦେଇଛନ୍ତି ।

ସି ଲାଲରେସାଙ୍ଗା ଗୁରୁବାର ଦିନ କହିଛନ୍ତି କି, ମିଜୋରାମରେ କ୍ଷମତାରେ ଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବ । ସେ କହିଛନ୍ତି କି ମଣିପୁର ଓ ପଡୋଶୀ ରାଜ୍ୟରେ ଲାଗିରହିଥିବା ଜାତିଗତ ହିଂସା ରୋକିବାରେ ଉଭୟ ମଣିପୁର ଓ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ତାଙ୍କଦଳ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ସମର୍ଥନରେ ମତଦାନ କରିବ ।

ସି ଲାଲରେସାଙ୍ଗା କହିଛନ୍ତି କି ଆମେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବୁ । କିନ୍ତୁ ଏହାର ଅର୍ଥ ନୁହେଁ କି ଆମେ କଂଗ୍ରେସକୁ ସମର୍ଥନ କରିବୁ ଓ ବିଜେପି ବିରୋଧରେ ଠିଆ ହେବୁ । ମାତ୍ର ମଣିପୁରରେ ଲାଗିଥିବା ଜାତିଗତ ହିଂସା ରୋକିବାରେ ଅସଫଳ ହୋଇଥିବା ସରକାର, ବିଶେଷଭାବେ ମଣିପୁର ସରକାରଙ୍କ ପ୍ରତି ବିରୋଧ କରିବା ପାଇଁ ଆମ ଦଳ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ ।

ସାଂସଦ ସି ଲାଲରେସାଙ୍ଗା କହିଛନ୍ତି କି, ମିଜୋ ନ୍ୟାସନାଲ ଫ୍ରଣ୍ଟ ସଂଘର୍ଷଗ୍ରସ୍ତ ମଣିପୁରର ଲୋକଙ୍କ ସ୍ଥିତି ଦେଖି ଆହାତ ହୋଇଛି । ଏନେଇ ପାର୍ଟିର ଅଧ୍ୟକ୍ଷ ଜୋରମଥାଙ୍ଗା, ମିଜୋରାମ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାଙ୍କ ସହ ଚର୍ଚ୍ଚା କରାଯାଇଛି । ଏହି ଚର୍ଚ୍ଚାରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଛି ।