ନବୀନଙ୍କ ନୂଆ ଟିମ: ରୋହିତ ପୂଜାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ସମ୍ଭାଳିବେ ଉଚ୍ଚଶିକ୍ଷା ବିଭାଗ। 

115

କନକ ବ୍ୟୁରୋ: ନବୀନଙ୍କ ମନ୍ତ୍ରିମଣ୍ଡଳରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ଉଚ୍ଚଶିକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ରୋହିତ । ଯୁବ ଚେହେରା ଭାବେ ନବୀନଙ୍କ ନୂଆ ଟିମରେ ସେ ସାମିଲ ହୋଇଥିବା ବେଳେ ତାଙ୍କୁ ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଛି । ପୂର୍ବରୁ ପଞ୍ଚମପାଳିରେ ସେ ବିଧାନସଭାରେ ଦଳର ଉପମୁଖ୍ୟ ସଚେତକ ଭାବେ ଦାୟିତ୍ୱନିର୍ବାହ କରିଥିଲେ ।

ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ବେଳେ ରୋହିତଙ୍କ ନାଁକୁ ନେଇ ଜୋରାଦର ଚର୍ଚ୍ଚା ହୋଇଥିଲା । ଏହା ସମ୍ବଲପୁରରେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ଫଳ ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛି । ଦଳ ପାଇଁ ସାଙ୍ଗଠନିକସ୍ତରରେ ଭଲ କାମ କରିବା ସହ ଦଳ ପ୍ରତି ଆନୁଗତ୍ୟ ପାଇଁ ତାଙ୍କୁ ଏହି ପୁରଷ୍କାର ମିଳିଛି । ଇଞ୍ଜିନିୟର ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ କେଉଁଭଳି ନୂଆ ସମ୍ଭାବନା ସୃଷ୍ଟି ହେବ ସେନେଇ ସେ ପଦକ୍ଷେପ ନେବେ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଥିବା ବେଳେ ଯୁବ ଚେହେରା ଭାବେ ରୋହିତଙ୍କ ନିଯୁକ୍ତି ଦଳକୁ ସହାୟତା କରିବ ।