ଅକାଳରେ ଝରିଗଲା ଗର୍ଭବତୀ ବଧୂର ଜୀବନ । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

424

କନକ ବ୍ୟୁରୋ: ଝିଅକୁ ଝୁରି ବାଡେଇଛାଟି ହୋଇ ମାଟିରେ ଗଡିଯାଉଛି ମା’ । ଅନ୍ତଚିରି ଜନ୍ମ ଦେଇଥିଲା । କେତେ ଅଲିଅଳିରେ ବଢିଥିଲା ଝିଅ । ଅସୁମାରୀ ସ୍ୱପ୍ନ ନେଇ ବାପଘର ଛାଡିଥଲା ଝିଅ । ଅନେକ ଆଶା ନେଇ ପ୍ରେମିକର ହାତ ଧରି ସଂସାର କରିବାକୁ ଆସିଥିଲା । ହେଲେ ଏଠି ବି ଭାଗ୍ୟ ସାଥ୍ ଦେଲାନି । ପରିସ୍ଥିତି ଏପରି ହେଲା ଯେ, ୮ ମାସର ଗର୍ଭବତୀ ଥିଲାବେଳେ ଜୀବନ ଗଲା । ହେଲେ ଏହା ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ଘନଉଛି ବିବାଦ ।

ଆମେ କହୁଛୁ ଅନୁଗୁଳ ସଦରଥାନା ଇଲାକାର ନବବଧୂ ସସ୍ମିତାଙ୍କ କଥା । ନିଜ ଇଚ୍ଛାରେ ବିବାହ କରିଥିଲେ ବି ପରେ ବାପଘର ସ୍ୱୀକୃତି ମିଳିଥିଲା । ଜ୍ୱାଇଁଙ୍କୁ ଉଚିତ ଯୌତୁକ ଦେବା ସହ ଉଚିତ ଆତିଥ୍ୟ ବି ଦେଇଥିଲେ । ଆଉ ଦୁଇ ମାସ ପରେ ଘରକୁ କୁନି ଅତିଥିଟିଏ ଆସିଥାନ୍ତା । ସେଥିପାଇଁ ବାପଘର ଲୋକେ ବେଶ ଖୁସି ଥିଲୋ ହେଲେ ତା’ ପୂର୍ବରୁ ମିଳିଥିଲା ସ୍ମିତାଙ୍କୁ ମୃତ୍ୟୁ ଖବର । ସେ ଘର ଉପର ମହଲାରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଛନ୍ତି । ହେଲେ ବାପ ଘର ଲୋକେ କିନ୍ତୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଏନେଇ ଶାଶୁ ଘର ଲୋକଙ୍କ ନାଁରେ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ସସ୍ମିତାଙ୍କ ଶାଶୁ । ସବୁ ଠିକ୍ ଥିଲା । ହେଲେ ଗତ ଦୁଇ ଦିନ ହେବ ସସ୍ମିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ହୋଇଥିଲା । ଫଳରେ ଦୁଇ ଦିନ ହେବ ତାଙ୍କ ସ୍ୱାମୀ କିଛି ଖାଇନଥିଲେ । ଏହାକୁ ନେଇ ଅଭିମାନ କରିଥିଲେ ସସ୍ମିତା । ଆଜି ସକାଳୁ ଗାଧୋଇବାକୁ ଯିବା କଥା କହି ଉପରମହଲା ଶିଢିରୁ ରଶି ଲଗାଇ ଆତ୍ମହତ୍ୟା କରିଥିବା ସସ୍ମିତାଙ୍କ ଶାଶୁ କହିଛନ୍ତି ।

ସସ୍ମିତାଙ୍କ ବାପା ଘର ଲୋକଙ୍କ ଏତଲା କ୍ରମେ ଅନୁଗୁଳ ସଦର ପୋଲିସ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।