ଭାରତ ବାୟୋଟେକ ନାଜାଲ ଭ୍ୟାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି

102

କନକ ବ୍ୟୁରୋ : କୋଭିଡ -୧୯ ବିରୋଧରେ ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ଖୁବଶୀଘ୍ର ସାମିଲ ହୋଇପାରେ ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ନାଜାଲ ଭ୍ୟାକ୍ସିନ । ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏନେଇ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁ କି ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ୧୮-୬୦ ବର୍ଷ ବୟସର ଲୋକମାନଙ୍କ ଠାରେ କରାଯାଇଥିଲା ।

କହିରଖୁ କି ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତମାନ ମୁଖ୍ୟତ ୩ ଟି କମ୍ପାନୀର ଟିକା ବ୍ୟବହାର କରାଯାଉଛି । ତାହା ମଧ୍ୟରେ ଭାରତ ବାୟୋଟେକର କୋଭାକ୍ସିନ, ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଋଷର ସ୍ପୁଟନିକ-ଭି ଟିକା ସାମିଲ ଅଛି । ଏହାସହ ଡିସିଜିଆଇ ମଡର୍ଣ୍ଣାର ଏମଆରଏନଏ ଭ୍ୟାକ୍ସିନ ଓ ଜନସନ ଆଣ୍ଡ ଜନସନର ର ସିଙ୍ଗଲ ଡୋଜ ଟିକାକୁ ବି ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସୂଚନା ଥାଉକି ଦେଶରେ ଏପର୍ଯ୍ୟନ୍ତ ୫୨.୯୫ କୋଟି ଖୋରାକ କରୋନା ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ବୁଧବାର ସୁଦ୍ଧା ୧୮-୪୪ ବର୍ଷର ୨୭,୮୩,୬୪୯ ଲୋକଙ୍କୁ ପ୍ରଥମ ଖୋରାକ ଦିଆଯାଇଥିବା ବେଳେ ୪,୮୫,୧୯୩ ଜଣ ଲୋକଙ୍କୁ ଟିକାର ଉଭୟ ଡୋଜ ଦିଆ ହୋଇଛି ।