ସନ୍ତାନ ଜନ୍ମ ପରେ ସମସ୍ୟାରେ ମୁସେୱାଲାଙ୍କ ବାପା ମା’: ଆଇଭିଏଫ୍ ଟେକ୍ନୋଲୋଜି ସାହାଯ୍ୟରେ ୫୮ ବର୍ଷରେ ମାଆ ହେବାକୁ ନେଇ ଅଡୁଆ

349

କନକ ବ୍ୟୁରୋ: ୫୮ ବର୍ଷ ବୟସରେ ଦିବଙ୍ଗତ ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମାଆ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ହେଲେ ଏହି କଥାକୁ ନେଇ ଆରମ୍ଭ ହୋଇ ଗଲାଣି ନୂଆ ବିବାଦ । ସିଦ୍ଧୁ ମୁସେୱାଲାଙ୍କ ମାଆ ଚରଣ କୌର ଓ ବାପା ବାଲକୌର ସିଂହଙ୍କ ଜୀବନରେ ଦ୍ୱିତୀୟ ସନ୍ତାନର ସୁଖ ମିଳିଛି । ଦ୍ୱିତୀୟ ପୁତ୍ର ସନ୍ତାନର ବାପା ହେବା ପରେ ଏହି ଖୁସି ଖବର ସୋସିଆଲ ମିଡିଆ ଜରିଆରେ ସଭିଁଙ୍କୁ ଜଣାଇଥିଲେ ବାପା ବଲକୌର ସିଂହ । ଆଇଭିଏଫ୍ ବା ଇନ୍-ୱେଟ୍ରୋ ଫର୍ଟିଲାଇଜେସନ୍ ଟେକ୍ନୋଲୋଜି ସାହାଯ୍ୟରେ ୫୮ ବର୍ଷ ବୟସରେ ଚରଣ କୌର ମାଆ ହେବାର ସୁଖ ଲାଭ କରିଛନ୍ତି । ଏବେ ଏହାକୁ ନେଇ ଏକ ରିପୋର୍ଟ ପଂଜାବ ସରକାରଙ୍କୁ ମାଗିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସୂଚନା ଅନୁସାରେ –

– ଚରଣ କୌରଙ୍କ ମାଆ ହେବାର ସମ୍ପୂର୍ଣ୍ଣ ତଥ୍ୟ ମାଗିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
– ପଂଜାବ ସରକାରଙ୍କୁ ଚରଣ କୌର ଓ ବାପା ବାଲ କୌର ସିଂହଙ୍କ ବ୍ୟକ୍ତିଗତ ତଥ୍ୟ ମାଗିଛି କେନ୍ଦ୍ର
– ଭାରତରେ ଆଇଭିଏଫ୍ ପ୍ରକ୍ରିୟାକୁ ନେଇ ରହିଛି ନିର୍ଦ୍ଧିଷ୍ଟ ନିୟମ
– ନିୟମ ଅନୁସାରେ ୨୧ରୁ ୫୦ ବର୍ଷ ବୟସ ଭିତରେ ଜଣେ ଆଇଭିଏଫ୍ ଟେକ୍ନୋଲୋଜି ଦ୍ୱାରା ମାଆ ହୋଇପାରିବେ
– ଚରଣ କୌର ୫୮ ବର୍ଷରେ କିଭଳି ଆଇଭିଏଫ୍ କରାଇଲେ, ବିସ୍ତୃତ ରିପୋର୍ଟ ମାଗିଛି କେନ୍ଦ୍ର

କୋଳରେ ଦ୍ୱିତୀୟ ସନ୍ତାନ ପାଇ ଆମେ ସିଦ୍ଧୁକୁ ହରାଇବାର ଦୁଃଖ ଭୁଲିବାକୁ ଚାହୁଁଛୁ । କିନ୍ତୁ ସରକାର ଆମ ଖୁସି ସହି ପାରୁ ନାହାଁନ୍ତି । କ୍ଷୋଭ ଭରା ସ୍ୱରରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ମୁସେ ୱାଲାଙ୍କ ବାପା ବାଲ କୌର ସିଂହ । ମୁସେୱାଲା ମୃତ୍ୟୁର ଦୁଇ ବର୍ଷ ପରେ ପୁଣିଥରେ ବାପା- ମାଆ ହେବାର ସୌଭାଗ୍ୟ ପାଇଛନ୍ତି ଚରଣ କୌର ଓ ବାଲ କୌର ସିଂହ । ହେଲେ ଏବେ ସରକାର ତାଙ୍କୁ ହଇରାଣ କରୁଥିବା କଥା କହିଛନ୍ତି ବାଲ କୌର । ସେ କହିଛନ୍ତି – ପଂଜାବ ସରକାର ତାଙ୍କ ନବଜାତ ସନ୍ତାନ ବୈଧ କି ନୁହେଁ ତାର ପ୍ରମାଣ ଦୋବାକୁ କହୁଛନ୍ତି । ପୁଅକୁ ହରାଇବାର ଦୁଃଖ ଏହି ଦ୍ୱିତୀୟ ସନ୍ତାନ ଦ୍ୱାରା ଆମେ ଭୁଲିବାକୁ ଚାହୁଁଛୁ । ହେଲେ ସରକରା ଆମ ଠାରୁ ଏହି ଖୁସି ଛଡ଼ାଇ ନେବାକୁ ଚାହୁଁଛନ୍ତି । ମୋ ଉପରେ ଚାପ ପକାଉଛନ୍ତି । ଛୁଆ ଜନ୍ମ ସଂକ୍ରାନ୍ତୀୟ କାଗଜପତ୍ର ପୈଠ କରିବାକୁ କହୁଛନ୍ତି ।

ତିନି ବର୍ଷ ପୂର୍ବେ ସରକାର ସହାୟକ ପ୍ରଜନନ ଅଧିନିୟମ ଲାଗୁ କରିଥିଲେ । ଏହି ନିୟମ ଅନୁଯାୟୀ,
– ଆଇଭିଏଫ୍ ଜରିଆରେ ବାପା, ମାଆ ହେବାର ନିର୍ଦ୍ଧିଷ୍ଟ ବସୟସୀମା ରହିଛି
– ଆଇଭିଏଫ୍ ପାଇଁ ପୁରୁଷଙ୍କ ବୟସ ସୀମା ୨୧ରୁ ୫୫ ବୟସ ହେବା ଉଚିତ
– ମହିଳାଙ୍କ ବୟସ ସୀମା ୨୧ରୁ ୫୦ ବର୍ଷ

କିନ୍ତୁ ସିଦ୍ଧୁଙ୍କ ମାଆ ୫୮ ବର୍ଷରେ ଦ୍ୱିତୀୟ ଥର ମାଆ ହୋଇଛନ୍ତି । ଏହାକୁ ନେଇ ସରକାର ପ୍ରଶ୍ନ ଉଠାଇଥିବା କୁହାଯାଉଛି । ସେପଟେ ବାଲ କୌର ସିଂହ କହିଛନ୍ତି, ଏବେ ବି ମୋ ପତ୍ନୀ ଓ ପିଲା ଡାକ୍ତରଖାନାରେ ଅଛନ୍ତି । ହସ୍ପିଟାଲର ଔପଚାରିକତା ଶେଷ କରିବାକୁ ମତେ ସମୟ ଦିଅନ୍ତୁ ବୋଲି ପଂଜାବ ସରକାରଙ୍କୁ ଗୁହାରି କରିଛନ୍ତି ମୁସେୱାଲାଙ୍କ ମାଆ ।