ଜାତୀୟ ରାଜନୀତିରେ ୭ ଥର କିଙ୍ଗମେକର ସାଜିଛନ୍ତି ମୁଲାୟମ, କେବେ ସରକାର ଭାଙ୍ଗିଛନ୍ତି ତ କେବେ ଗଢିଛନ୍ତି

63

କନକ ବ୍ୟୁରୋ : ରାମ ମନୋହର ଲୁହିଆଙ୍କ ସମାଜବାଦୀ ବିଚାରଧାରା ଭିତରେ ବଢିଥିବା ମୁଲାୟମ ସିଂ ଯାଦବ ଦେଶରେ ପ୍ରତିଷ୍ଠିତ ନେତାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଉତ୍ତର ପ୍ରଦେଶ କ୍ଷମତା ରାଜନୀତିରେ ରାଜା ଥିଲେ ତ ପୁଣି କେନ୍ଦ୍ର ରାଜନୀତିରେ କିଙ୍ଗମେକର । ସେ ତାଙ୍କର ୫୫ ବର୍ଷ ରାଜନୈତିକ ଜୀବନ ମଧ୍ୟରେ କେନ୍ଦ୍ର ରାଜନୀତି ଠାରୁ ୩୫ ବର୍ଷ ଦୂରେଇ ରହିଥିଲେ । ହେଲେ ବହୁଜନ ସମାଜବାଦୀ ପାର୍ଟି ସହ ସଂପର୍କ ତୁଟିବା ପରେ ମୁଲାୟମ ଦିଲ୍ଲୀମୁହାଁ ହୋଇଥିଲେ । ଆଉ ଜାତୀୟ ରାଜନୀତିରେ କିଙ୍ଗମେକର ସାଜିଥିଲେ ।

ମୁଲାୟମ କେବେ ସୋନିଆ ଗାନ୍ଧୀଙ୍କ ରାସ୍ତାରେ କଣ୍ଟା ସାଜିଥିଲେ ତ କେବେ କଂଗ୍ରେସ ସରକାର ଗଠନରେ ପ୍ରମୁଖ ଭୁମିକା ନିଭାଇଥିଲେ । ପୁଣି କେବେ ବିଜେପି ସହ ମିଶି ବାମଦଳଙ୍କ ସ୍ୱପ୍ନକୁ ଚୁରମାର କରିଥିଲେ ତ କେବେ ତୃତୀୟ ସାମୁଖ୍ୟ ବିଲିନ କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ହେଲେ ଥରେ ସେ କହିଥିଲେ କି ଦିଲ୍ଲୀରେ ରାଜନୀତି କରିବା ଅପେକ୍ଷା ଲକ୍ଷ୍ନୌରେ ବାଦାମ ବିକିବା ଭଲ । ହେଲେ ସମୟ ସହ ମୁଲାୟମଙ୍କ ମତ ବି ବଦଳି ଯାଇଥିଲା । ସେ କେନ୍ଦ୍ର ରାଜନୀତିରେ ପ୍ରବେଶ କରିଥିଲେ ଓ କେନ୍ଦ୍ର ରାଜନୀତିରେ କିଙ୍ଗମେକର ସାଜିଥିଲେ ।

ଉତ୍ତର ପ୍ରଦେଶ କ୍ଷମତା ରାଜନୀତିରେ ଯେତେବେଳେ ମାୟାବତୀଙ୍କ ସହ ତାଙ୍କର ସଂପର୍କ ତୁଟିଲା ସେତେବେଳେ ତାଙ୍କ ରାଜନୈତିକ ଜୀବନକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ହେଲେ ସେତେବେଳେ ମୁଲାୟମ ନୂଆ ଖେଳ ଆରମ୍ଭ କରିଦେଲେ । ଏବେ ମୁଲାୟମ ୟୁପି ବଦଳରେ ଦିଲ୍ଲୀ ରାଜନୀତିରେ ମନୋନିବେଶ କଲେ । ସେ ପ୍ରଥମଥର ପାଇଁ ୧୯୯୬ ରେ ଲୋକସଭା ନିର୍ବାଚନ ଲଢିଲେ । ସେ ମୌନପୁରୀ ଲୋକସଭା ଆସନରୁ ବିଜୟୀ ହେବା ସହ ଦଳର ମୋଟ ୧୭ ଜଣ ସାଂସଦ ବିଜୟୀ ହୋଇଥିଲେ । ସେହି ସମୟରେ ଅଟଳ ବିହାରୀ ବାଜପେୟୀ ମାତ୍ର ୧୩ ଦିନ ପ୍ରଧାନମନ୍ତ୍ରୀ ରହିବା ପରେ ସରକାର ଭାଙ୍ଗିଯାଇଥିଲା । ସେତେବେଳେ ମୁଲାୟମ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ହେବେ । ହେଲେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ମୁଲାୟମ । ହେଲେ ନିଜେ ସିନା କିଙ୍ଗ ହେଲେ ନାହିଁ ମାତ୍ର କିଙ୍ଗମେକର ହୋଇଗଲେ ।

ଏଚଡି ଦେବଗୌଡା ପ୍ରଧାନମନ୍ତ୍ରୀ ହେଲେ ଓ ମୁଲାୟମ ରକ୍ଷାମନ୍ତ୍ରୀ । ତାଙ୍କ ବ୍ୟତୀତ କେନ୍ଦ୍ର କ୍ୟାବିନେଟରେ ତାଙ୍କର ସହଯୋଗୀ ଜନେଶ୍ୱର ମିଶ୍ରା, ବେନୀ ପ୍ରସାଦ ବର୍ମା ଓ ସଲିମ୍ ସେରୱାନୀଙ୍କୁ ସ୍ଥାନ ମିଳିଥିଲା । ଅନ୍ୟପଟେ ଏଚଡି ଦେବଗୌଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁଲାୟମ ସିଂ ଯାଦବ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଲା । ହେଲେ ଲାଲୁ ଯାଦବ ଓ ଶରଦ ଯାଦବ ମୁଲାୟମଙ୍କ ରାସ୍ତାରେ କଣ୍ଟା ସାଜିଲେ ।

୧୯୯୮ ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଭାଙ୍ଗିବା ପରେ ମୁଲାୟମଙ୍କ ସହାୟତାରେ କଂଗ୍ରେସ ସରକାର ଗଠନ କରିବାରେ ସମର୍ଥ ହୋଇଥିଲା । ମୁଲାୟମଙ୍କ ଭରସାରେ ସୋନିଆ ଗାନ୍ଧୀ ୨୭୨ ସାଂସଦଙ୍କ ସମର୍ଥନ ପତ୍ର ଦାଖଲ କରିଥିଲେ । ହେଲେ ପୁଣି ଲାଲକୃଷ୍ଣ ଆଡଭାନୀଙ୍କ ସହ ମିଶି ମୁଲାୟମ ଏଭଳି ଗେମ୍ ଖେଳିଲେ ଯେ କଂଗ୍ରେସ ସରକାର ଗଢୁ ଗଢୁ ଅଟକି ଯାଇଥିଲା ।

ସେହିଭଳି ୨୦୦୨ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଏପିଜେ ଅବ୍ଦୁଲ କାଲାମଙ୍କୁ ପ୍ରାର୍ଥୀ କଲା ଓ ବାମଦଳ ଲକ୍ଷ୍ମୀ ସାଇଗଲଙ୍କୁ । ହେଲେ ବିଜେପି ପାଖରେ ଅବ୍ଦୁଲ କାଲାମଙ୍କୁ ଜିତାଇବାକୁ ପର୍ଯ୍ୟାପ୍ତ ଭୋଟ ନଥିଲା ତେଣୁ ବାମଦଳ ମଜବୁତ୍ ସ୍ଥିତିରେ ଥିଲା । ହେଲେ ମୁଲାୟମ ସିଂ ଯାଦବ ଶେଷ ସମୟରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବାରୁ କାଲାମଙ୍କ ବିଜୟ ହୋଇଥିଲା ।
ଅନ୍ୟପଟେ ୨୦୦୮ ମସିହାରେ କଂଗ୍ରେସ ସରକାର ବଞ୍ଚାଇବାରେ ସହାୟକ ହୋଇଥିଲେ ମୁଲାୟମ । ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ବେଳେ ଆଣବିକ ଚୁକ୍ତିକୁ ନେଇ କଂଗ୍ରେସ ସରକାର ସଂକଟରେ ଥିଲା । କାରଣ ଏହି ବିଲକୁ ବିରୋଧ କରି ବାମଦଳମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ହେଲେ ହଠାତ ମୁଲାୟମ ସିଂ କଂଗ୍ରେସକୁ ସମର୍ଥନ କରିବାରୁ ସରକାର ବଞ୍ଚି ଯାଇଥିଲା ।

ସେପଟେ ୨୦୧୪ ରେ ତୃତୀୟ ସାମୁଖ୍ୟ ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଜନତା ଦଳ ପୃଷ୍ଟଭୂମିରୁ ଆସିଥିବା ନେତମାନେ ମୁଲାୟମଙ୍କ ବାସଭବନରେ ବୈଠକ କରିଥିଲେ । ଏଥିରେ ଲାଲୁ ଯାଦବ. ନୀତିଶ କୂୁମାର, ଚୌଧୁରୀ ଅଜିତ୍ ସିଂ, ଓମ୍ ପ୍ରକାଶ ଚୌତାଲା, ଏଚଡି ଦେବଗୌଡାଙ୍କ ସମେତ ଅନେକ ନେତା ସାମିଲ ଥିଲେ । ହେଲେ ଏନେଇ ଲାଲୁ ଯେଉଁ ରାଲି କଲେ ସେଥିରେ ଅନୁପସ୍ଥିତ ରହିଲେ ମୁଲାୟମ । ଏହାପରେ ତୃତୀୟ ସାମୁଖ୍ୟ ମେଣ୍ଟ ପାଣି ଫୁଟକା ଭଳି ମିଳାଇ ଯାଇଥିଲା ।

ଅନ୍ୟଏକ ଘଟଣା କ୍ରମେ ସଂସଦରେ ସୋନିଆ ଗାନ୍ଧୀ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ଚାହୁଁଥିବା ବେଳେ ଏହାର ବାଧକ ସାଜିଥିଲେ ମୁଲାୟମ । ୨୦୦୮ ସେ ତକ୍ରାଳୀନ ଆଇନ ମନ୍ତ୍ରୀ ଏଚଆର ଭରଦ୍ୱାଜ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ଉପସ୍ଥାପିତ କରିବାର ଥିଲା । ହେଲେ ଏହା ରାଜ୍ୟସଭାରେ ଉପସ୍ଥାପିତ ହେବା ପୂର୍ବରୁ ସମାଜବାଦୀ ପାର୍ଟିର ସାଂସଦମାନେ ରାଜ୍ୟସଭାରେ ଏହି ବିଲକୁ ଚରିଦେବାକୁ ଚେଷ୍ଟା କରିଥିଲେ । ଏହି କାରଣରୁ ବିଲ ପାରିତ ହୋଇପାରି ନଥିଲା ।