କାଳେ ଚାଲାଣ କଟିବ , ଡରରେ ଠେଲା ଗାଡି ବେପାରୀ ପିନ୍ଧିଲେ ହେଲମେଟ । 

273

କନକ ବ୍ୟୁରୋ: ପରିବା ବିକିବାକୁ ଠେଲା ଗାଡି ଧରି ଯାଉଛନ୍ତି  । ହେଲେ ମୁଣ୍ଡରେ ହେଲମେଟ୍ । କାଳେ ପୋଲିସ ଚାଲାଣ କାଟିବ, ସେହି ଭୟରେ କାହାଠୁ ମାଗିଆଣି ହେଲମେଟ୍ ପିନ୍ଧିଛନ୍ତି ପରିବା ବିକାଳି । ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ଏକ ମାର୍କେଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ହଜାର ହଜାର ୟୁଜର୍ସ ଲାଇକ୍ କରିଛନ୍ତି ।

ପ୍ରକୃତ କଥା ହେଉଛି ଏବେ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ହେଲମେଟ ବ୍ୟବହାରକୁ ନେଇ  ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଏହାସହ ବିଭିନ୍ନ ସ୍ଥାନରେ ହେଲେମେଟ ଚେକିଙ୍ଗ ମଧ୍ୟ ଚାଲିଛି । ଏହାକୁ ଦେଖି ଠେଲା ଗାଡିରେ ପରିବା ବିକୁଥିବା ଯୁବକ ଜଣକ ପୁରା ଛାନିଆଁ । ଆଗରେ ଗାଡି ଚାଳକଙ୍କ ହେଲେମେଟ ଚେକିଙ୍ଗ  ଦେଖି ଡରିଯାଇଥିଲେ । କାଳେ ତାଙ୍କଠାରୁ ବି ଜରିମାନା ଆଦାୟ ହେବ ତେଣୁ ବିକଳରେ ହେଲମେଟ୍ ପିନ୍ଧିପକାଇଲେ ।

 ଏହି ଭିଡିଓ ସୁବେଦାର ଭାଗୱନ୍ତ ପ୍ରସାଦ ପାଣ୍ଡେ ସେୟାର କରିଛନ୍ତି । ସେଠାରେ ଥିବା କିଛି ଯୁବକ ତାଙ୍କୁ ବୁଝାସୁଝା କରିବା ପରେ ପରିବା ବେପାରୀ ହେଲମେଟ କାଢିଥିଲେ ।